ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଏକ ହିନ୍ଦୀ ସିନେମା ନିର୍ମାଣ କରିବେ ସଞ୍ଜୟଲୀଳା ଭଂସାଲୀ
ମୁମ୍ବାଇ: ପ୍ରଖ୍ୟାତ ପ୍ରଯୋଜକ-ନିର୍ଦ୍ଦେଶକ ସଞ୍ଜୟଲୀଳା ଭଂସାଲୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଏକ ହିନ୍ଦୀ ସିନେମା ନିର୍ମାଣ କରିବାକୁ ଯାଉଥିବା ଜଣାଯାଇଛି । ଏହାର ଟାଇଟଲ ରହିଛି “ମନ ବୈରାଗୀ’? ଏହାର ଲେଖକ ହେଉଛନ୍ତି ସଂଜୟ ତ୍ରିପାଠୀ । ସଞ୍ଜୟଲୀଳା ଭଂସାଲୀ ଏବଂ ମହାବୀର ଜୈନ ମିଳିତଭାବେ ଏହାର ପ୍ରଯୋଜନା କରୁଛନ୍ତି । ନିଜେ ସଞ୍ଜୟଲୀଳା ଭଂସାଲୀ ଏହାର ନିର୍ଦ୍ଦେଶ ଭାର ବହନ କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଅର୍ଥାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ତମ ଜନ୍ମ ଦିବସ ଅବସରରେ ଏହି ସିନେମାର ପ୍ରଥମ ଡିଜିଟାଲ ପୋଷ୍ଟର ଲଞ୍ଚ କରାଯିବ । ଏହାକୁ ଲୋକପ୍ରିୟ ସିନେ ତାରକା ପ୍ରଭାସ ଲଞ୍ଚ କରିବେ ବୋଲି ଜଣାଯାଇଛି । ସଞ୍ଜୟଲୀଳା ଭଂସାଲୀ କହିଛନ୍ତି ଯେ ସଂଜୟ ତ୍ରିପାଠୀଙ୍କ କାହାଣୀ ଶୁଣିବାପରେ ସେ ଏହି ସିନେମା ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଯାତ୍ରାର କିଛି ଅନାଲାଚିତ ଦିଗ ପ୍ରଦର୍ଶିତ ହେବବୋଲି ସେ ସୂଚନା ଦେଇଛନ୍ତି । ପିଲାବେଳେ କିପରି ମୋଦୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିଥିଲା, ସେହି ବିଷୟକୁ ଫିଲ୍ମର କାହାଣୀ ପ୍ରସ୍ତୁତ ହୋଇଛି ଯାହା ବର୍ତ୍ତମାନର ଯୁବାପୀଢିଙ୍କ ଲାଗି ପ୍ରେରଣାଦାୟକ ହେବ ବୋଲି ମଧ୍ୟ ସଞ୍ଜୟଲୀଳା ଭଂସାଲୀ କହିଛନ୍ତି ।