ପ୍ରଧାନଶିକ୍ଷକ ଓ ସାଧନକେନ୍ଦ୍ର ସଂଯୋଜକଙ୍କୁ ବିଦାୟ ସମ୍ବର୍ଦ୍ଧନା
କୋଣାର୍କ (ଯୁଗାବ୍ଦ ନ୍ୟୁଜ): ଆମ୍ବିଳିଗାଁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବେଣୁଧର ମଲ୍ଲିକ ଓ ପୂର୍ବତନ ସାଧନକେନ୍ଦ୍ର ସଂଯୋଜକ ନିରଞ୍ଜନ ଦାସଙ୍କୁ ଭୈରବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଧନକେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ବୁଧବାର ମା’ ଭଗବତୀଙ୍କ ପୀଠରେ ଶିକ୍ଷକ ରବୀନ୍ଦ୍ରନାଥ ବାହିନୀପତିଙ୍କ ପୌରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗୋପ ବ୍ଲକ ଶିକ୍ଷକ ସମନ୍ୱୟ ସମିତି ସଂପାଦକ ସତ୍ୟନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁଙ୍କ ସମେତ ବରିଷ୍ଠ ପ୍ରଧାନଶିକ୍ଷକ ଗୋପିନାଥ ଜେନା, ପ୍ରଧାନଶିକ୍ଷକ ରାମଚନ୍ଦ୍ର ଶତପଥୀ, ପ୍ରଧାନଶିକ୍ଷକ ହୃଦାନନ୍ଦ ବିଶ୍ୱାଳ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ନାୟକ ପ୍ରମୁଖ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବେଣୁଧର ମଲ୍ଲିକ ଏବଂ ବିଗତ ପାଞ୍ଚବର୍ଷଧରି ସିଆରସିସି ଭାବେ ସଫଳତାରସହ ଦାୟିତ୍ୱ ନିର୍ବାହ କରିଥିବା ଶିକ୍ଷକ ନିରଞ୍ଜନ ଦାସଙ୍କ କାର୍ଯ୍ୟଧାରାର ପ୍ରଶଂସା କରିଥିଲେ ।


