ପ୍ରଧାନଶିକ୍ଷକ ନଥିବାରୁ ଏନଆରଟିଏସରୁ ବଞ୍ଚିତ ଛାତ୍ର !

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ମା ସୁବର୍ଣ୍ଣମୁଖି ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଚଳାବସ୍ଥା ଦେଖାଦେଇଛି । ପ୍ରଧାନଶିକ୍ଷକ ନଥିବାରୁ ବିଦ୍ୟାଳୟର ବିଭିନ୍ନ ସୈଖିକ କାର୍ଯ୍ୟ ବିଳମ୍ବ ଘଟୁଥିବାବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ଘୋର ଅସୁବିଧା ସୃଷ୍ଟି କରୁଛି । ଏପରିକି ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି(ଏନଆରଟିଏସ) ପରୀକ୍ଷାରୁ ଜଣେ ଛାତ୍ର ବାଦ ପଡିବା ନେଇ ଆଶଙ୍କା ଦେଖାଦେଇଛି । ନେରଡା ଗ୍ରାମର ଭରତ ଦ୍ୱିବେଦୀ ଓ ସୀମା ଦ୍ୱିବେଦୀଙ୍କ ଏକମାତ୍ର ପୁଅ ଶିବପ୍ରସାଦ ନବମ ଶ୍ରେଣୀର ଛାତ୍ର ଅଟନ୍ତି । ସେ ତୃତୀୟ, ପଞ୍ଚମ ଓ ଷଷ୍ଠ ଶ୍ରେଣୀରେ ବିଭିନ୍ନ ମେଧାବୃତ୍ତି ପରୀକ୍ଷା ଦେଇଥିବାବେଳେ ଅଷ୍ଟମ ଶ୍ରେଣୀରେ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତିରେ କୃତିତ୍ୱ ହାସଲ କରିଥିଲେ । ଏହାପରେ ସେ ନବମ ଶ୍ରେଣୀରେ ଏନଆରଟିଏସ ପାଇଁ ଅନଲାଇନ ଆବେଦନ କରିବାକୁ ଚାହିଁଥିବାବେଳେ ପ୍ରଧାନଶିକ୍ଷକଙ୍କ ଦସ୍ତଖତ ବିନା ଏହା ସମ୍ଭବ ହୋଇପାରୁନାହିଁ । ବିଦ୍ୟାଳୟରେ ଅନେକ ଦିନ ହେବ ପ୍ରଧାନଶିକ୍ଷକ ନଥିବାବେଳେ ଅନ୍ୟକେହି ଶିକ୍ଷକ ମଧ୍ୟ ଦାୟିତ୍ୱ ନେବାକୁ ଚାହୁଁନଥିବା ଜଣାପଡିଛି । ଯେଉଁଥିପାଇଁ କୋମଳମତୀ ବିଦ୍ୟାର୍ଥଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି । ଶିବପ୍ରସାଦ ଆଜି ମାଆ ସୀମାଦେବୀଙ୍କ ସହିତ ସମସ୍ୟା ବିଷୟରେ ଜଣାଇବା ପାଇଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଆସିଥିବାବେଲେ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତ ଯୋଗୁ ସେ ନିରାଶ ହୋଇ ଫେରିଥିବା ଜଣାପଡିଛି । ଏନେଇ ବିଇଓ ଦୀପକ କୁମାର ପାଢୀଙ୍କ ମତାମତ ନେବାରୁ ସେ ଘଟଣା ବିଷୟରେ ଅବଗତ ଥିବା କହିଥିବାବେଳେ ବିଦ୍ୟାର୍ଥୀ ଜଣକର ଯଥାଶୀଘ୍ର ଏନଆରଟିଏସ ଅବେଦନର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ