ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର -ସାହାସପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ବୁଧବାର କଂସାର – ସାହାସପୁର ଉଚ୍ଚ ବିଦ୍ୟାଳୟର ଗ୍ରାମ୍ୟ ଶିକ୍ଷା କମିଟିର ଏକ ବୈଠକ ଥିଲା । ବୈଠକ ଆରମ୍ଭ ହେବାରେ ଗୋଟିଏ ଗୋଷ୍ଠି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ସମସ୍ତ ଅଭିଭାବକମାନଙ୍କୁ ଠିକ ଭାବରେ ନୋଟିସ ପ୍ରଦାନ କରାଯାଇନଥିବାରୁ ଆଜିର ବୈଠକକୁ ବାତିଲ କରାଯାଇ ଅନ୍ୟ ଏକ ଦିନକୁ ବୈଠକ ଡକାଯାଉ । କିନ୍ତୁ ଅନ୍ୟ ଏକ ଗୋଷ୍ଠି ଦାବି କରିଥିଲେ ଯେ ଆଜି ବୈଠକ ନକରି ଯାଇପାରିବ ନାହିଁ । ଏହି ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ଜୋର ଜବରଦସ୍ତ ଟାଣି ନେଇ କେତେକ ବିଧା ଚାପୁଡା ମାରି ଏକ ଶ୍ରେଣୀ ଗୃହରେ ପୁରାଇ ଦେଇଥିଲେ । ଏସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି ।


