ପ୍ରଧାନ ଶିକ୍ଷକ ନିଲମ୍ବିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-5T କାର୍ଯ୍ୟରେ ଅବହେଳା ଏବଂ ଡ୍ୟୁଟି ସମୟରେ ମଦ୍ୟପାନ ଅଭିଯୋଗରେ ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ନୋଡ଼ାଲ୍ ନାରାୟଣ ପୃଷ୍ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଗୌଡ଼ ନିଲମ୍ବିତ ହୋଇଥିବା ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ବିଜ୍ଞପ୍ତି ଜାରି ହୋଇଛି I ସୂଚନା ପ୍ରକାରେ ଗତ ନଭେମ୍ବର 16 ତାରିଖରେ ପାଇଲିପଡ଼ା ଏନ୍.ପି ହାଇସ୍କୁଲ୍ ଏକ 5T ରୂପାନ୍ତରିତ ବିଦ୍ୟାଳୟ ଭାବେ ଉଦ୍ଘାଟିତ ହୋଇଥିଲା I କିନ୍ତୁ ଏହାର ନିର୍ମାଣ କାର୍ଯ୍ୟରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇ ଆସୁଥିଲା I ଏହା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୌଡ଼ ବହୁ ସମୟରେ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ ମଧ୍ୟ ହୋଇ ଆସୁଥିଲା I ଗତ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲାପାଳ ଏହି ବିଦ୍ୟାଳୟକୁ ପରିଦର୍ଶନରେ ଆସିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଗୌଡ଼ ବିନା କାରଣରେ ଅନୁପସ୍ଥିତ ଥିବା ଜାଣି ପାରିଥିଲେ I ପରେ ଜିଲ୍ଳାପାଳ ଶ୍ରୀ ଗୌଡଙ୍କୁ ବିଦ୍ୟାଳୟକୁ ଡକାଇ ବିଦ୍ୟାଳୟର 5T କାର୍ଯ୍ୟକ୍ରମର ତଦାରଖ କରିବା ସମୟରେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଥିବା ଆର୍ଥିକ ଅନିୟମିତତା ଏବଂ ମଦ୍ୟପାନ ଅଭିଯୋଗର ସତ୍ୟତା ଥିବା ଜାଣି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ରିପୋର୍ଟ ପ୍ରଦାନ କରିଥିଲେ I ଜିଲ୍ଲାପାଳଙ୍କ ରିପୋର୍ଟକୁ ଭିତ୍ତି କରି ଆଜି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଶ୍ରୀ ଗୌଡ଼ଙ୍କ ନିଲମ୍ବନ ଆଦେଶ ଜାରି କରିଛନ୍ତି I ବେଲଗୁଣ୍ଠା ବ୍ଲକ ରେ ଆଉ କିଛି ଶିକ୍ଷକ ଓ ଶିକ୍ଷା ଅଧିକାରୀ ଡିଉଟି ସମୟରେ ମଦ୍ୟପାନ କରି ସ୍କୁଲ ଆସୁଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।