ପ୍ରଫୁଲ୍ଲ ସାମଲଙ୍କ ବିଜୟ ହ୍ୟାଟ୍ରିକ୍
ଭଣ୍ଡାରିପୋଖରୀ, (ଜୁଗାବ୍ଦ ନ୍ୟୁଜ୍): ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ଗତ ଦୁଇଥର ବିଜେତା ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଚଳିତ ନିର୍ବାଚନରେ ବିଜୟୀ ହୋଇ ହ୍ୟାଟ୍ରିକ କରିଛନ୍ତି । ପ୍ରଫୁଲ୍ଲ ବାବୁ ୭୦,୧୮୦ ଭୋଟ ହାସଲ କରି ନିକଟତମ ପ୍ରତିଦ୍ୱନ୍ଦୀ ହେଭିୱେଟ କଂଗ୍ରେସ ପ୍ରାର୍ଥୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୮,୮୫୯ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ନିରଞ୍ଜନ ପଟ୍ଟନାୟକ ୬୧,୩୨୧ ଭୋଟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ବଦ୍ରିନାରାୟଣ ଧଳ ୩୯,୧୪୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ରାଜୀବଲୋଚନ ଜେନା ୬୦୦ ଭୋଟ ସହ ଚତୁର୍ଥ ସ୍ଥାନ; ସ୍ୱାଧୀନ ପ୍ରାର୍ଥୀ ପତଞ୍ଜଳୀ କରଶର୍ମା ୫୧୮ ଭୋଟ ହାସଲ କରି ପଞ୍ଚମ ସ୍ଥାନ; ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଶିବନାରାୟଣ ବିଶ୍ୱାଳ ୩୨୮ ଭୋଟ ସହ ଷଷ୍ଠ ସ୍ଥାନ; ଏସୟୁସିଆଇ. ପ୍ରାର୍ଥୀ ଦିଗାମ୍ବର ସ୍ୱାଇଁ ୨୯୮ ଭୋଟ ସହ ସପ୍ତମ; କଳିଙ୍ଗ ସେନାର ପ୍ରାର୍ଥୀ ମନୋଜ କୁମାର ଜେନା ୧୯୮ ଭୋଟ ସହ ଅଷ୍ଟମ; ପ୍ୟୁରିଟିଷ୍ଟ ବ୍ଲକ ଇଣ୍ଡିଆର ପ୍ରାର୍ଥୀ ସାର୍ଥକ ରଞ୍ଜନ ବିଶ୍ୱାଳ ୧୯୨ ଭୋଟ ସହ ନବମ; ସ୍ୱାଧୀନ ପ୍ରାର୍ଥୀ ଅଶୋକ କୁମାର ରାଉତ ୧୭୯ ଭୋଟ ସହ ଦଶମ ସ୍ଥାନ ହାସଲ କରିଛନ୍ତି । ଏହା ସହ କୌଣସି ପ୍ରାର୍ଥୀଙ୍କୁ ନୁହେଁ (ନୋଟା)ରେ ୫୧୮ଭୋଟ ପଡିଛି । ଚଳିତ ବିଧାନସଭା ନିମନ୍ତେ ଥିବା ୨,୨୨,୪୩୩ ମୋଟ ଭୋଟର ମଧ୍ୟରୁ ୧,୭୩,୪୬୮ ଭୋଟର ୨୫୭ ମତଦାନ କେନ୍ଦ୍ର ଓ ଡାକ ମାଧ୍ୟମରେ ମତଦାନ କରିଥିବା ଜଣାଯାଇଛି । ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କ ବିଜୟର ଶ୍ରେୟ ଜନସାଧାରଣଙ୍କୁ ଦେବା ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ସମର୍ଥନ ତାଙ୍କ ବିଜୟପଥକୁ ସୁଗମ କରିଛି ବୋଲି ମତ ଦେଇ ନିର୍ବାଚନମଣ୍ଡଳୀର ବିକାଶଧାରା ବଜାୟ ରହିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ଜନମତକୁ ସମ୍ମାନ ଦେବା ସହ ଫଳାଫଳକୁ ସମୀକ୍ଷା କରାଯାଇ ଉପଯୁକ୍ତ ପ୍ରତିକାର କରାଯିବ ବୋଲି କହିଛନ୍ତି ।