ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ ପକ୍ଷରୁ ଶିକ୍ଷାବିତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭା କବି ଅନନ୍ତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ବ୍ରଜ କିଶୋର ପାଢ଼ୀ, ମୁଖ୍ୟ ବକ୍ତାଭାବେ ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମୃତ୍ୟୁଞ୍ଜୟ ଖଡଙ୍ଗା ଯୋଗଦେଇଥିଲେ। ପ୍ରଥମେ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବପ୍ରାର୍ଥନା କରାଯାଇଥିଲା। ଦିବଂଗତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିଭିନ୍ନ ସାହିତ୍ୟ କୃତି ଓ ସାହିତ୍ୟିକ ଜୀବନ ଧାରା ବିଷୟରେ ଆଲୋଚନା ହୋଇ ସ୍ମୃତି ଚାରଣ କରିବା ସହ ଶ୍ରୀ ଆଚାର୍ଯ୍ୟଙ୍କ ଦେହାନ୍ତ ଓଡ଼ିଆ ସାହିତ୍ୟ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଥିଲେ। ଭଂଜମାଟି ପତ୍ରିକାର ସମ୍ପାଦକ କାମରାଜୁ ସାହାଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।