ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି : ପ୍ରଚାରକୁ ନେଇ ନେତାଙ୍କ ଚିନ୍ତା

ହିଂଜିଳିକାଟୁ, (ଶେଷଦେବ ସାହୁ) : ଗତ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପାଖାପାଖି ୪୦ଂ ସେଲସିୟସ ରହିବା ସହିତ ଆଦ୍ରତାର ପରିମାଣ ୮୦ ଭାଗ ଟପୁଥିବାରୁ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି । ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିବା ସହ ଗୁଳୁଗୁଳି ଅନୁଭୁତ ହେଉଛି ।କିନ୍ତୁ ବର୍ତମାନ ନିର୍ବାଚନ ଋତୁ ଚାଲିଥିବାରୁ ନେତା ଓ ତାଙ୍କ କର୍ମୀ ମାନେ କିଭଳି ନିର୍ବାଚନ ପ୍ରଚାର କରିବେ, ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ସାଧାରଣତଃ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଭୋଟ ହାତେଇବା ପାଇଁ ଭୋଟର ମାନଙ୍କୁ ହାତେଇବା ପାଇଁ ସବୁ ପ୍ରକାର ଉଦ୍ୟମ କରିବାକୁ ପଡ଼ୁଛି । ତେବେ ପ୍ରଚଣ୍ଡ ଖରାରେ କର୍ମୀ ମାନେ ଭୋଟରଙ୍କ ନିକଟକୁ ଯିବାକୁ ରାଜି ନହେବାରୁ କେତେକ ସ୍ଥାନରେ ପ୍ରାର୍ଥୀ ମାନେ ସେମାନଙ୍କପାଇଁ ଥଣ୍ଡା ପାନୀୟ ଓ ଖାଦ୍ୟର ବ୍ୟବସ୍ଥା କରିବାକୁ ପଡ଼ୁଛି । ଇତି ମଧ୍ୟରେ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ରାଜ୍ୟ ସରକାର ଶ୍ରମିକ ମାନଙ୍କ କାର୍ଯ୍ୟ କରିବା ଉପରେ କଡ଼ା କଟକଣା ଜାରୀ କରିଛନ୍ତି ।ପୂର୍ବାହ୍ନ୧୧ ଟାରୁ ଅପରାହ୍ନ ସାଢେ ୩ ଟା ପର୍ଯ୍ୟନ୍ତ ଖରାରେ କାମ କରିବାକୁ ବାରଣ କରାଯାଇଛି । ଏପ୍ରିଲ ପହିଲାରୁ ଏହକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଶ୍ରମ ଅଧିକାରୀ ମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ନିର୍ବାଚନ ସମୟରେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରାର୍ଥୀ କିମ୍ବା ସେମାନଙ୍କସହିତ ଗାଁ ଦାଣ୍ଡରେ ବୁଲୁଥିବା ଦଳୀୟକର୍ମୀ ମାନଙ୍କ ପାଇଁ ସତେ ଯେପରି ଏହା ଲାଗୁ କରାଯାଇନାହିଁ । ଗ୍ରାମାଞ୍ଚଳରେ ପ୍ରାର୍ଥୀ ମାନେ ଶୋଭାଯାତ୍ରା ପାଇଁ ସହଜରେ କର୍ମୀ ପାଇ ଯାଉଥିବା ବେଳେ ସହରାଞ୍ଚଳରେ ଅନେକ ନେତା କର୍ମୀଙ୍କୁ ଭଡ଼ାରେ ଆଣିବାକୁ ବାଧ୍ୟ ହେଉଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପାଇଁ ହେଉଥିବା ଶୋଭାଯାତ୍ରା କାର୍ଯ୍ୟ କୌଣସି ପ୍ରକାରରେ ସମାପ୍ତ ହୋଇଥିବା ବେଳେ ମତଦାନ ପର୍ଯ୍ୟନ୍ତ କିଭଳି ପ୍ରଚାର କାର୍ଯ୍ୟ କରିବେ ସେ ନେଇ ଅଧିକାଂଶ ପ୍ରାର୍ଥୀ ଚିନ୍ତାରେ ପଡ଼ିଲେଣି । ପ୍ରବଳ ଖରା ସମୟରେ ପ୍ରଚାର କରିବାକୁ କର୍ମୀ ମିଳିବେ ନାହିଁଁ କିମ୍ବା ପ୍ରଚାର କଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିବ ନାହିଁ । ଗାଁ ଠୁ ସହର ଯାଏଁ ପ୍ରଚଣ୍ଡ ଖରାକୁ ଦେଖି ଲୋକମାନେ ଅଶୁଂଘାତ ଭୟରେ ଦିନବେଳେ ଘରୁ ବାହାରିବେ ନାହିଁ । ତେଣୁ ମୋଟାମୋଟି ଭାବେ ଚଳିତ ନିର୍ବାଚନରେ ଉଭୟ ପ୍ରାର୍ଥୀ ଓ ସେମାନଙ୍କ ପାର୍ଟି ପ୍ରଚଣ୍ଡ ଖରା କାଳ ସାଜିବାକୁ ବସିଲାଣି । ଖରା ସମୟରେ କିଭଳି ପ୍ରଚାର କରାଯିବ ସେ ନେଇ ସମସ୍ତ ପ୍ରାର୍ଥୀ ଓ ସେମାନଙ୍କ ସହ ପ୍ରଚାରରେ ଯାଉଥିବା କର୍ମୀ ଚିନ୍ତାରେ ପଡ଼ିଥିବା ବେଳେ ଦିନବେଳା ପରିବର୍ତ୍ତେ ସଂନ୍ଧ୍ୟା ସମୟରେ ପ୍ରଚାରକୁ ବାହାରିବା ଲାଗି ପ୍ରସ୍ତୃତ ଚଲାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ