ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍ କାଟ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗତ ୨ ମାସରୁ ଅଧିକ ଦିନ ଧରି ହିଞ୍ଜିଳିକାଟୁ ବିଦ୍ୟୁତ୍ ଡ଼ିଭିଜନରେ ଅଘୋଷିତ ବିଦ୍ୟୁତ୍ କାଟ ହେଉଥିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ କରାଯାଉଥିବା ଯୋଗୁଁ ଏହାରି ପ୍ରଭାବରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଶିକ୍ଷାର୍ଥୀଙ୍କ ପରୀକ୍ଷା ପାଇଁ ଅଧ୍ୟୟନରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ପ୍ରତି ଘଣ୍ଟାଏ ସମୟ ବ୍ୟବଧାନରେ ୧୦ରୁ ୧୫ ମିନଟ ଲେଖାଏଁ ଅଘୋଷିତ ବିଦ୍ୟୁତ୍ କାଟ କରାଯାଉଛି । କେଉଁ ସମୟରେ ବିଦ୍ୟୁତ ସରବରାହ ଚାଲୁ ରହୁଛି ଏବଂ କେଉଁ ସମୟରେ ବିଛିନ୍ନ କରାଯାଉଛି ସହରବାସୀ ଜାଣିବା ମୁସ୍କିଲ ହୋଇପଡ଼ିଛି । ରାଜ୍ୟ ସରକାର ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହ ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ କରାଯିବ ନାହିଁ ଵୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ଘୋଷଣା କରିଥିବା ବେଳେ ରାଜ୍ୟ ବିଦ୍ୟୁତ୍ ବିଭାଗ ଉତ୍ପାଦନ ହ୍ରାସ, ଋତୁକାଳୀନ ମରାମତି, କେନ୍ଦ୍ର ସରକାରଙ୍କ ଆଇପିଡ଼ିଏସ ଯୋଜନାରେ ବିଦ୍ୟୁତ ଉନ୍ନତି କରଣର ଆଳ ଦେଖାଇ ବିଦ୍ୟୁତ୍ କାଟ କରାଯାଉଛି । ବହୁ ସମୟରେ ଦିନକୁ ପ୍ରତି ଘଣ୍ଟାଏରେ ୨ରୁ ୩ ମିନଟ ଲେଖାଏଁ ୫ରୁ ୭ ଥର ବିଦ୍ୟୁତ୍ କାଟ କରାଯାଉଛି । ପ୍ରତ୍ୟହ ରାତି ୧୦ ଟା ଠାରୁ ୧ ଘଣ୍ଟା ସମୟ ମଧ୍ୟରେ ବହୁବାର ବିଦ୍ୟୁତ୍ କାଟ କରାଯାଉଛି। ରାତ୍ରୀ ସମୟରେ ବିଦ୍ୟୁତ୍ କାଟର ସୁଯୋଗ ନେଇ କିଛି ଅସାଜିକ ବ୍ୟକ୍ତି ଚୋରୀ କରିବାର ସୁଯୋଗ ପାଉଛନ୍ତି । ବିଳମ୍ବିତ ରାତିରେ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଘୋଷିତ ଭାବେ କେତେ ସମୟ ପାଇଁ ବିଦ୍ୟୁତ୍ କାଟ କରାଯାଉଛି ତାହାର କୌଣସି ହିସାବ ନାହିଁ । ବିଦ୍ୟୁତ୍ ବିଭାଗର ଏଭଳି ଲୁଚକାଳି ଖେଳ ସହରବାସୀଙ୍କ ପାଇଁ କାଳ ସାଜିଛି । ବିଭାଗ ପକ୍ଷରୁ ଅଘୋଷିତ ବିଦ୍ୟୁତ୍ କାଟକୁ ତୁରନ୍ତ ବନ୍ଦ କରିବା ପାଇଁ ସହରବାସୀ ଦାବି ଜଣାଇଛନ୍ତି । ଏ ନେଇ ହିଞ୍ଜିଳିକାଟୁ ବିଦ୍ୟୁତ ଡ଼ିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନିଲ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କୁହନ୍ତି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତ୍ୟଧିକ ଏସି ଓ ଫେନ ବ୍ୟବହାର ହେଉଉଥିବାରୁ ଓଭରଲୋଡି° ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ଏବଂ କିଛି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ବ୍ରେକ ଡାଉନ୍ କରାଯାଉଛି । ବିଦ୍ୟୁତ୍ କାଟ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ସହରବାସୀଙ୍କ ପକ୍ଷରୁ ଏକ ଜନ ଆନ୍ଦୋଳନ ଗଢି ଉଠିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।‌

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ