ପ୍ରବଳ ଗ୍ରୀଷ୍ମ ପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ) : ବଦଳିଛି ପାଗ । ଦଣ୍ଡଯାତ୍ରା ଶେଷ ହୋଇଛି। କାଳବୈଶାଖୀ ତାଣ୍ଡବ ମଧ୍ୟ କମିଛି । ଆଉ ହଠାତ୍ ପାଗରେ ପରିବର୍ତ୍ତନ ସହ ମୁଣ୍ଡପଟା ଖରା ଏବେ ସାଧାରଣ ଲୋକଙ୍କୁ କଲବଲ କରୁଛି । ସହରର ତାପମାତ୍ରା ୪୦° ରହିଥିବା ବେଳେ ତତଲା କଡେଇରେ ହିଞ୍ଜିଳିକାଟୁ ରହିଛି । ଦିନସାରା ଦେହରୁ ଝାଳ ଶୁଖୁନାହିଁ । ସକାଳ ୧୦ ଟାରୁ ଅପରାହ୍ନ ୫ ଟା ଯାଏଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ପ୍ରବଳ ଝାଞ୍ଜିପବନ କାରଣରୁ ମୁହଁ ଶିଝିଯାଉଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ଶୁନ୍‌ଶାନ ରହୁଛି । ମାର୍ଚ୍ଚ ମାସ ଆରମ୍ଭରୁ ଖରାର ପ୍ରକୋପ ଆରମ୍ଭ ହୋଇଥିଲେ ମଧ୍ୟ ମଝିରେ ମଝିରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ କାରଣରୁ ଗ୍ରୀଷ୍ମର ପ୍ରକୋପ ସେଭଳି ଜଣାପଡିନଥିଲା । ଗତ ୫ ଦିନ ହେଲା ଖରାର ପ୍ରକୋପ ଅହେତୁକ ଭାବେ ବୃଦ୍ଧି ପାଇଛି । ଗତ ୩ ଦିନ ଧରି ସହରର ତାପମାତ୍ରା ୩୮ଂ ରହିଥିବା ବେଳେ ଗତ ଦୁଇ ଦିନ ଧରି ତାପମାତ୍ରା ବୃଦ୍ଧି ପାଇ ୪୦ଂ ରେ ପହଞ୍ଚିଛି । ପାଣିପାଗ ବିଭାଗ ସୂଚନା ପ୍ରକାରେ ଏହା ଚଳିତ ମାସ ଶେଷଯାଏଁ ଲାଗିରହିବ । ଆଗକୁ ସ୍ଥାନୀୟ ସହରର ତାପମାତ୍ରା ରେକର୍ଡ ଭାଙ୍ଗିବା ନେଇ ଏବେ ଠାରୁ ଆଶଙ୍କା କରାଯାଉଛି । ପ୍ରଚଣ୍ଡ ଖରା ଯୋଗୁଁ ଜଳସ୍ତର କମିବାରେ ଲାଗିଛି । ଗତବର୍ଷ ହିଞ୍ଜିଳିକାଟୁ ସହରରେ ତାପମାତ୍ରା ୪୪.୫ଂ ଛୁଇଁଥିଲା । ଆଗକୁ ସହରର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆବଶ୍ୟକ ପରିମାଣରେ ଗଛ ଲଗାଯିବା ସହ ସବୁଜ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉ ନଥିବାରୁ ତାପମାତ୍ରା ବୃଦ୍ଧି ଅନ୍ୟ ଏକ ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ