ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ଓ ଆଖପାଖ ଅଞ୍ଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ଲଗାଣବର୍ଷାରେ କେନ୍ଦ୍ରାପଡା ସହର ସମେତ ଆଖପାଖ ଅଞ୍ଚଳ ବେହାଲ ହୋଇପଡିଥିବା ଦେଖିବାକୁ ମିଳିଛି । ସହରର ଜୟୀପୁରା, କନିଆଯୋରୀ, ଏକଣାଖଣ୍ଡି, ଅଯୋଦ୍ଧାନଗର, ରଣପଡା, ଗୋପ, ମୀରପାଟଣା, କାକଟ, ଦିଲାରପୁର, ଏମାମବାଡା, ଶ୍ୟାମଗୁଡିଆ, ଗୈାଡଗୋପ, ଓଡିଶୋ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଅଦାଲତ ଛକ, ମେଡିକାଲ ଛକ, ମହିପାଳ, କଜଳା, ଭ୍ରମରଦିଆପାଟଣା, ପୂର୍ତ୍ତ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପ୍ରଭୃତି ବର୍ଷା ପାଣିରେ ବୁଡି ଯାଇ ବନ୍ୟାର ଭ୍ରମ ସୃଷ୍ଟି କରିଛି । ସେହିଭଳି ସହରତଳି ଅଞ୍ଚଳ ଗୁଲନଗର, ଗରାପୁର, ଓସ୍ତପୁର, ଶ୍ୟାମସୁନ୍ଦରପୁର, ଭରତପୁର, ମରଡପୁର ପ୍ରଭୃତି ଅଞ୍ଚଳ ମଧ୍ୟ ବର୍ଷା ଜଳରେ ବୁଡିଯାଇଥିବା ଦେଖିବାକୁ ମିଳିଛି । ଧାନତଳି ରୁଆ ହୋଇଥିବା ଜମି ଗୁଡିକ ବର୍ଷା ପାଣିରେ ବୁଡି ଯାଇଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଥିବା ଜଣାପଡିଛି । ଗୋବରୀ ନଦୀର ଉଭୟ ପାଶ୍ୱର୍ରେ ଥିବା ଚାଷଜମି ଗୁଡିକ ବର୍ଷା ଜଳରେ ବୁଡି ଯାଇଥିବାରୁ ସେ ଅଞ୍ଚଳର ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଓ ଫସଲ ନଷ୍ଟ ହୋଇଯିବାର ସମ୍ଭାବନା ଦୃଷ୍ଟିରୁ ଚିନ୍ତାରେ ଭାଙ୍ଗି ପଡିଥିବା ଦେଖାଯାଇଛି । ସହରର ତଳିଆ ଅଞ୍ଚଳରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୋମବାର ସକାଳୁ ପହଞ୍ଚି ବର୍ଷା ଜଳ ନିଷ୍କାସନ ପାଇଁ ପମ୍ପ ପକାଇ ଆବଶ୍ୟକ ବ୍ୟବସ୍ଥା କରିବା ସହ ବର୍ଷା ପାଣି ପଶି ଯାଇଥିବା ଘର ଗୁଡିକର ଲୋକମାନଙ୍କ ପାଇଁ ରହଣୀର ବ୍ୟବସ୍ଥା କରିଛନ୍ତି । କଜଳାର ବସ୍ତି ଅଞ୍ଚଳରେ ଯୁବନେତା ମହେଶ ପାଢୀ, ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ମହେନ୍ଦ୍ର ମିଶ୍ର ପ୍ରମୁଖ ପହଞ୍ଚି ବର୍ଷାଜଳ ପଶି ଯାଇ ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ସେହିପରି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ସହରର କେତେକ ତଳିଆ ଅଞ୍ଚଳରେ ପହଞ୍ଚି ବିପନ୍ନ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ