ପ୍ରବାଦ ପୁରୁଷ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶାର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ମହା ସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଛତ୍ରପୁର ସ୍ଥିତ ସୂଚନା କେନ୍ଦ୍ର ଓ ପାଠାଗାର ଠାରେ ମହା ନାୟକ ବିଜୁବାବୁଙ୍କ ସ୍ମୃତି ଚାରଣ ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଜୁ ବାବୁଙ୍କ ତୈଳ ଚିତ୍ରରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହ ଓଡିଶାର ବରପୁତ୍ର ମହା ନାୟକ ବିଜୁ ବାବୁଙ୍କ ଉପରେ ସମ୍ୟକ୍ ସୂଚନା ପ୍ରଦାନ କରି କହିଥିଲେଯେ, କ୍ଷମତାର ଶେଷ ପାହାଚରେ ଥାଇ ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଯେଉଁ ସଂସ୍କାର ଆଣିଥିଲେ ତାହାକୁ ସମଗ୍ର ଦେଶ ପରବର୍ତ୍ତୀ ସମୟରେ ଅନୁସରଣ କରିଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମିସ୍ ଏସ୍. ରାଜେଶ୍ବରୀ ଦୋରା ଯୋଗଦେଇ କହିଥିଲେ ଯେ, ଓଡିଶାର ବରପୁତ୍ରଙ୍କ ମଧ୍ୟରୁ ପ୍ରବାଦ ପୁରୁଷ ବିଜୁ ବାବୁ ଥିଲେ ଅନ୍ୟତମ । ବିଜୁ ବାବୁଙ୍କ ନାମ ମନକୁ ଆସିଲେ ଆମ ସମସ୍ତଙ୍କ ଭିତରେ ଅଦମ୍ୟ ସାହସ, ଉତ୍ସାହ ଓ ଦୃଢତା ସ୍ବତଃ ଜାଗ୍ରତ ହୋଇଥାଏ । ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଜୁ ବାବୁ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା କଥା ଉଲ୍ଲେଖ କରିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶା ସରକାର ଏହାକୁ ୫୦ ପ୍ରତିଶତ ବୃଦ୍ଧିକର ମହିଳା ମାନଙ୍କୁ ଏକ ସ୍ବତନ୍ତ୍ର ଅଧିକାର ପ୍ରଦାନ କରାଯାଇଥିବା ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ଛତ୍ରପୁରର ବିଶିଷ୍ଟ ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଯେ, ବିଜୁବାବୁ ଗ୍ରାମ ଭିତ୍ତିଭୂମିର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ବିଜୁବାବୁ ଏପରି ଜଣେ ବ୍ୟକ୍ତିତ୍ବର ଅଧିକାରୀ ଥିଲେ, ଦଳ ମତ ନିର୍ବିଶେଷରେ ସେ ସମସ୍ତଙ୍କୁ ଆକର୍ଷିତ କରି ପାରୁଥିଲେ । ଓଡିଶା କିପରି ଶିଳ୍ପ ସମୃଦ୍ଧ ହୋଇ ପାରିବ, ଓଡିଶାର ପିଲାମାନେ କିପରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିପାରିବେ, ମାଆ ଭଉଣୀ ମାନେ କିପରି ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ ହୋଇ ପାରିବେ ସେହି କଥା ଚିନ୍ତା କରିବା ସହ ସେ ଦିଗରେ କାର୍ଯ୍ୟ କରୁଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ କହିଥିଲେଯେ, ବିଜୁବାବୁ ଥିଲେ ମହନୀୟ ଆଦର୍ଶର ଏକ ଗୌରବ ମଣ୍ଡିତ ବ୍ୟକ୍ତିତ୍ବ । ତାଙ୍କୁ ଆଧୁନିକ ଓଡିଶାର ବିଶ୍ବକର୍ମା କହିଲେ ଅତ୍ୟୁକ୍ତି ହେବ ନାହିଁ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଓଡିଶାର ଗରୀବ ଓ ଅବହେଳିତ ମାନଙ୍କୁ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ସେ ନେଇ ବିଜୁବାବୁ ସର୍ବଦା ଚେଷ୍ଟିତ ଥିଲେ । ଏହି ଆଲୋଚନା ଚକ୍ରରେ ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ପାଢୀ ଯୋଗ ଦେଇ ମହିଳା ମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତ କରାଇବା ଦିଗରେ ବିଜୁବାବୁ ସର୍ବଦା ଗୁରୁତ୍ବ ଆରୋପ କରିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଗ୍ରାମାଞ୍ଚଳର ପ୍ରତି ଗ୍ରାମ ବିକାଶ ନୀତିର ପୁରୁଣା ଖସଡା । ଏହି ବ୍ୟବସ୍ଥା ଜରିଆରେ ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ, ନିରକ୍ଷରତା, ଅପପୁଷ୍ଟି ଓ ଅନ୍ୟାନ୍ୟ ଅସୁବିଧା ଦୂର ହୋଇ ପାରିବ ବୋଲି ବିଜୁବାବୁ ଦୃଢ ଆଶା ପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବେ ଛତ୍ରପୁର ବିଜ୍ଞାନ ମହା ବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ଯୋଗ ଦେଇ କହିଥିଲେ ଯେ, ବିଜୁବାବୁ ରାଜ୍ୟ ଆଇନ୍ ରେ ବ୍ୟାପକ ସଂଶୋଧନ ଆଣିବା ସହିତ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ରଖିଥିଲେ ୩୩ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା । ସେହି ଅନୁସାରେ ୧୯୯୨ରେ ଓଡିଶାରେ ପଞ୍ଚାୟତ ନିର୍ବାଚନ ହେଲା ଏବଂ ସେବେ ଠାରୁ ତ୍ରି ସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଏକ ନୂଆ ରୂପରେ ପୁନର୍ଜନ୍ମ ଲାଭ କଲା । ଏହି ବ୍ୟବସ୍ଥା ଦ୍ବାରା କ୍ଷମତା ବିକେନ୍ଦ୍ରୀକରଣ ଓ ମହିଳାଙ୍କୁ ସୁରକ୍ଷା ଓ ସମ୍ମନ ପ୍ରଦାନ କରିବା କ୍ଷେତ୍ରରେ ବିଜୁବାବୁ ଥିଲେ ସମଗ୍ର ଭାରତ ବର୍ଷରେ ଅଗ୍ରଗଣ୍ୟ ନେତା ।ଏହି ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ସ୍ତରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଚ୍ଚ ବିଦ୍ୟାଳୟ ସ୍ତରରେ ଅର୍ଚ୍ଚିତା ପଣ୍ଡା, କାର୍ମେଲ କନଭେଣ୍ଟ ସ୍କୁଲ ପ୍ରଥମ,ଅର୍ପିତା ମହାପାତ୍ର, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ଶ୍ରୀୟା ପାଣିଗ୍ରାହୀ, କାର୍ମେଲ କନଭେଣ୍ଟ ସ୍କୁଲ ଯୁଗ୍ମ ଭାବେ ଦ୍ବିତୀୟ ଓ ଅଭିପ୍ସା ନେପାକ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୃତୀୟ ଅଧିକାର କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ବଦ୍ରୀନାଥ ମିଶ୍ର, ସରକାରୀ ବିଜ୍ଞାନ ମହା ବିଦ୍ୟାଳୟ, ଛତ୍ରପୁର ପ୍ରଥମ, ଅନୀଲ ପ୍ରଧାନ, ଦ୍ବିତୀୟ ଓ ଦୀପିକା ନାୟକ ଛତ୍ରପୁର ମହିଳା ମହା ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମହା ବିଦ୍ୟାଳୟ ସ୍ତରରେ ମମତା ନାହାକ ସରକାରୀ ବିଜ୍ଞାନ ମହା ବିଦ୍ୟାଳୟ, ଛତ୍ରପୁର ପ୍ରଥମ, ଆର୍. ଧବଳେଶ୍ବର ରେଡ୍ଡୀ ସରକାରୀ ବିଜ୍ଞାନ ମହା ବିଦ୍ୟାଳୟ, ଛତ୍ରପୁର ଦ୍ବିତୀୟ ଓ ଶୁଭଶ୍ରୀ ନାୟକ ଛତ୍ରପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୂର୍ବତନ ବିଧାୟକ ଅଶୋକ କୁମାର ଚୈଧୁରୀ, ଅଜିତ କୁମାର ପାଢୀ ଏବଂ ରାମଚନ୍ଦ୍ର ସାସମଲ ବିଚାରକ ଭାବେ ଯୋଗ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ