ପ୍ରବାସୀଙ୍କୁ ଅନ୍ୟ ରାଜ୍ୟକୁ ଟାଣି ନେଉଛି ପେଟର ଭୋକ
ଭୁବନେଶ୍ୱର,(ୱାଇଏନ୍ଏସ୍): କରୋନା ମହାମାରୀ ଯୋଗୁଁ ଘର ମୁହାଁ ହୋଇଥିବା ପ୍ରବାସୀ ଓଡ଼ିଆ ଏବେ କର୍ମସ୍ଥଳକୁ ବାହୁଡ଼ିବା ଆରମ୍ଭ କରିଛନ୍ତି । ୬ ମାସ ଧରି ଘରେ ବସି ରହିଥିବା କୁଶଳୀ, ଅଣକୁଶଳୀ ଶ୍ରମିକଙ୍କୁ କାମରେ ଯୋଗଦେବା ପାଇଁ ଡ଼ାକରା ଆସିଲାଣି । ଆଗୁଆ ଦରମା ଦେଇ କମ୍ପାନୀ ମାଲିକ ଶ୍ରମିକଙ୍କୁ ଡ଼ାକୁଛନ୍ତି । ନୂଆ ଶ୍ରମିକଙ୍କୁ ପ୍ରଶିକ୍ଷଣ ଦେଇ କାମ ଦେବା ପାଇଁ ଅଧିକାଂଶ ବାହାର କମ୍ପାନୀ ପ୍ରସ୍ତାବ ଦେଉଛନ୍ତି । ଲକ୍ଡାଉନ୍ ସମୟରେ ରାଜ୍ୟକୁ ଯେତେ ସଂଖ୍ୟକ ପ୍ରବାସୀ ଓଡ଼ିଆ ଆସିଥିଲେ, ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ନିଜ ନିଜ କର୍ମକ୍ଷେତ୍ରକୁ ବାହୁଡ଼ି ଗଲେଣି । ଯେଉଁ ସମୟରେ ସେମାନେ ଘରକୁ ଚାଲି ଆସିଥିଲେ, ସେହି ସମୟରେ ସେମାନେ କାମ କରୁଥିବା ବଡ଼ ରାଜ୍ୟରେ ସଂକ୍ରମଣ କମ୍ ଥିଲା । କିନ୍ତୁ ଏବେ ସେଠାରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ସତ୍ତ୍ବେ ପ୍ରବାସୀ ଓଡ଼ିଆ ସେଠାକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି । କାରଣ ପେଟ ପାଇଁ ଦାନା ଯୋଗାଡ଼ କରିବା ସଂଘର୍ଷ ଆଗରେ ଜୀବନର ସୁରକ୍ଷା ତୁଚ୍ଛ ହୋଇଯାଉଛି । ସୁରତରେ ଏବେ ପ୍ରାୟ ଶହେ ସଂକ୍ରମିତ ପ୍ରାଣ ହରାଉଛନ୍ତି; କିନ୍ତୁ କାମ ପାଇଁ ସେଠାକୁ ଯିବାରେ ଭୟ ରହୁନାହିଁ। ଅନେକ ପ୍ରବାସୀ ଏବେ ସ୍ଥିତି ସୁଧୁରିବା ଅପେକ୍ଷାରେ ଅଛନ୍ତି। ଅପରପକ୍ଷେ ଓଡ଼ିଶାରେ ମନରେଗା କାମରେ ପ୍ରାୟ ୧୦ ପ୍ରତିଶତ ପ୍ରବାସୀ ଓଡ଼ିଆ କାମ ପାଇଛନ୍ତି। କିନ୍ତୁ ବାହାରେ ସେମାନେ ଯେତିକି ଦରମା ପାଉଥିଲେ ତାହା ତୁଳନାରେ ମଜୁରି ବହୁତ କମ। ତେଣୁ ପ୍ରବାସୀ ଶ୍ରମିକଙ୍କ ପକ୍ଷେ ଫେରିବା ଛଡ଼ା ଅନ୍ୟ ଉପାୟ ନାହିଁ ।


