ପ୍ରବାସୀଙ୍କୁ ମନରେଗା ଯୋଜନାରେ କାମ କରିବା ପାଇଁ ପରାମର୍ଶ ଦେଲେ ଜିଲ୍ଲାପାଳ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ବୁଧବାର ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ବ୍ଳକ ଓ ପୌରାଂଚଳର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ । ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ ସମୟରେ ଫେରନ୍ତା ପ୍ରବାସୀଙ୍କ ରହିବା, ଖାଇବା ଓ ଅନ୍ୟାନ ବିଷୟ ନେଇ ଆଲୋଚନା କରିଥିଲେ । ସ୍ଥାନୀୟ ପୌରାଂଚଳର ଆଙ୍କୋରଡ଼ା ଓ ହିଞ୍ଜିଳି ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ସମେତ ସ୍ଥାନୀୟ ବ୍ଳକ ସିକିରି, ଶାସନ ଆମ୍ବଗାଁ ଓ ବୁରୁପୋଡ଼ା ପଂଚାୟତରେ କରାଯାଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ । ସଙ୍ଗରୋଧ କେନ୍ଦ୍ର ଗୁଡ଼ିକ କିପରି କାର୍ଯ୍ୟକାରୀ ହେଉଛି, ସେ ନେଇ ଉପସ୍ଥିତ ଶିକ୍ଷକ, ଅଙ୍ଗୱାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପଚାରି ବୁଝିଥିଲେ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଫେରନ୍ତା ପ୍ରବାସୀଙ୍କୁ କାର୍ଯ୍ୟରେ ନିୟୋଜନ କରିବାକୁ ହିଞ୍ଜିଳିକାଟୁ ବିଡ଼ିଓଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ସମେତ ସଂପୃକ୍ତ ପଂଚାୟତର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।