ପ୍ରବାସୀଙ୍କୁ ୨୦୦୦ ଟଙ୍କା ନ ମିଳିବା ନେଇ ବ୍ଲକ୍ ଘେରାଉ ପାଇଁ ସଜବାଜ
ବେଲଗୁଣ୍ଠା,( ସନ୍ତୋଷ କୁମାର ବିଶୋଇ): ନାମ ପଞ୍ଜିକରଣ କରାଇ ପ୍ରବାସୀ ମାନେ ସରକାରୀ ନିୟମାନୁଯାୟୀ ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିବା ପରେ ସମସ୍ତଙ୍କୁ 2000 ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ I କିନ୍ତୁ ଦୁଇ ମାସରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ବହୁ ପ୍ରବାସୀଙ୍କୁ ଅର୍ଥ ରାଶି ମିଳି ନଥିବାରୁ ଆଜି ଉଢୁରା ପଞ୍ଚାୟତର ୪୪ ଜଣ ପ୍ରବାସୀ ଏକତ୍ରିତ ହୋଇ ବ୍ଲକ୍ ଘେରାଉ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ବେଲଗୁଣ୍ଠା ବିଡିଓ ଶଶୀ ଭୁଷଣ ମହାପାତ୍ର ସୂଚନା ପାଇ ଉତ୍ତ୍ୟକ୍ତ ପ୍ରବାସୀଙ୍କୁ ବୁଝାସୁଝା କରି ଦୁଇ ଦିନ ମଧ୍ୟରେ ଟଙ୍କା ଯୋଗାଇ ଦେବାର ପ୍ରତିଶୃତି ଦେବା ପରେ ଆପୋଷ ସମାଧାନ ହୋଇ ପାରିଛି I ଖବରରୁ ଜଣା ପଡ଼ିଛି ବେଲଗୁଣ୍ଠା ବ୍ଲକ୍ ଓ ଏନଏସିର ୧୧୯୭୦ ଜଣ ପ୍ରବାସୀ ପଞ୍ଜିକୃତ କରି ବେଲଗୁଣ୍ଠା ଫେରିଥିଲେ I ପାଖାପାଖି ୧୧୦୦୦ ଲୋକଙ୍କୁ ୨୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି ଯୋଗାଇ ଦିଆଯାଇଥିବା ବେଳେ ଆହୁରି ପାଖାପାଖି ୯୦୦ ରୁ ଉର୍ଦ୍ଧ ଜଣଙ୍କୁ ପ୍ରୋତ୍ସାହନ ରାଶି ମିଳିନାହିଁ I ବିଭିନ୍ନ ସମୟରେ ପ୍ରବାସୀମାନେ ଆସି ଟଙ୍କା ମିଳିବା ନେଇ ବୁଝିକି ଫେରୁଥିବା ବେଳେ ଆଜି ଉଢୁରା ପଞ୍ଚାୟତର ୪୪ ଜଣ ପ୍ରବାସୀ ବ୍ଲକ୍ କୁ ଯାଇ ବିଡିଓ ଶ୍ରୀ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ I ଏହିମାନେ ଆସିବା ଖବର ପାଇଁ ବ୍ଲକ୍ ର ଅନ୍ୟ ପଞ୍ଚାୟତର ପ୍ରବାସୀମାନେ ମଧ୍ୟ ବ୍ଲକ୍ ଘେରାଉ ପାଇଁ ସଜବାଜ ହେଉଥିଲେ I ବିଡିଓ ଶ୍ରୀ ମହାପାତ୍ର ଉପସ୍ଥିତ ବୁଦ୍ଧି ଖଟାଇ ଟଙ୍କା ପାଇ ନଥିବା ସମସ୍ତ ପ୍ରବାସୀଙ୍କୁ ତିନିରୁ ଚାରିଦିନ ମଧ୍ୟରେ ଟଙ୍କା ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେବା ପରେ ଆପୋଷ ସମାଧାନ ହୋଇଥିଲା I


