ପ୍ରବାସୀ ଓଡିଆ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ଏକବିଂଶ ଶତାବ୍ଦୀରେ ଓଡିଶା ଭାରତର ୧ ନମ୍ବର ରାଜ୍ୟ ତଥା ପୃଥିବୀର ଏକ ଅଗ୍ରଣୀ ଅଂଚଳ ହେଉ ଏବଂ ଓଡିଶାର ପୁରୁଷାର୍ଥ ରଖୁଥିବା ପ୍ରବାସୀ ଓଡିଆ ଏହି ସମାଜର ଅଗ୍ରଦୂତ ହୁଅନ୍ତୁ ବୋଲି ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ପ୍ରବାସୀ ଓଡିଆ ଉତ୍ସବ ୨୦୧୯ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି କହିଛନ୍ତି ଯେ , ସମୟ ବଦଳିବା ଅନୁସାରେ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱ ମଧ୍ୟ ବଦଳିଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ ଓଡିଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ କୀର୍ତି ସ୍ଥାପନ କରିଛନ୍ତି । ଆଜି ଏହାକୁ ବ୍ୟାପକ କରିବାର ଆବଶ୍ୟକତା ଅଛି । ଓଡିଆ ଲୋକଙ୍କ ପୁଞ୍ଜି ହେଉଛି ଚରିତ୍ର ଓ ବୌଦ୍ଧିକ କ୍ଷମତା , ଚରିତ୍ରରେ ପରିଶ୍ରମ, ସାଧୁତା ଓ ସମ୍ବେଦନଶୀଳତା ଅଛି । ଯାହା ଆଜିର ବସ୍ତୁବାଦୀ ଦୁନିଆରେ ଦୁଃମୂଲ୍ୟ । ସଂପ୍ରତି ଓଡିଶା ବିଶ୍ୱରେ ସମ୍ପନ୍ନତାର ଚରମ ସୀମାକୁ ଯାଇଛି । ସେହିଭଳି ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ହେବ । ଏହି ସମୟରେ ଓଡିଆ ଲୋକମାନେ ଓଡିଶା ପାଇଁ ବଡ କଳ୍ପନା କରିବାର ଆବଶ୍ୟକତା ରହିଛି ।ତେଣୁ ଏବେ ନିଜ ଅଂଚଳ ପାଇଁ ସମସ୍ତଙ୍କର କିଛି ଦାୟିତ୍ୱ ନେବାର ସମୟ ଆସିଛି । ଓଡିଆ ଜାତିକୁ ବିଶ୍ୱରେ ପରିଚିତ କରିବାର ଦାୟିତ୍ୱ କେବଳ ଦିଲ୍ଲୀ ଏବଂ ଭୁବନେଶ୍ୱରରେ ଥିବା ସରକାରଙ୍କର ନୁହେଁ ସମଗ୍ର ଓଡିଆ ଜାତିର । ଓଡିଶାର ଛେନାପୋଡ, ଆରିସା ପିଠା, ପଖାଳ, ଆମ୍ବୁଲ, ସୋରିଷ ତରକାରୀ ମାଛ, ସମ୍ବଲପୁରୀ ଶାଢୀ, ଖୋର୍ଦ୍ଧା ଗାମୁଛା, ଏ ସବୁକୁ ବିଶ୍ୱରେ ପହଁଚାଇବାର ଆବଶ୍ୟକତା ରହିଛି । ତେବେ ଯାଇ ଓଡିଶା ବିଶ୍ୱରେ ଅଧିକରୁ ଅଧିକ ପରିଚୟ ଲାଭ କରିପାରିବ । ଯେଉଁ ସମାଜ ଯେତେ ପ୍ରଗତିଶୀଳ, ସମ୍ବେଦନଶୀଳ, ଭାବନାତ୍ମକ ସେ ଜାତି ସେତେ ବଡ ହୋଇପାରିବ ।