ପ୍ରବାସୀ ଥଇଥାନ ପାଇଁ ପ୍ରଶାସନକୁ ଅନୁରୋଧ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): କୋଭିଡ୍ ୧୯ ସଂକ୍ରମଣ ଯୋଗୁଁ ଓଡିଶା ବାହାରେ ବିଭିନ୍ନ ରାଜ୍ୟରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ପ୍ରବାସୀ ଓଡିଆ ମାନେ ନିଜ ପରିବାର ନିକଟକୁ ଓ ନିଜ ଭିଟାମାଟିକୁ ଫେରି ଆସିଥିଲେ । ଏହି ମହାମାରୀର ଭୟାବହତାରୁ ରକ୍ଷା ପାଇବା ପାଇଁ କିଏ କେଉଁ ଉପାୟରେ ବିଭିନ୍ନ ସାଧନ ମାଧ୍ୟମରେ ନିଜ ଗ୍ରାମ ଓ ପରିବାର ନିକଟରେ ପହଞ୍ଚିଲେ । କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ରାଜ୍ୟ ସରକାରଙ୍କ ବସ ବ୍ୟବସ୍ଥା ବ୍ୟତିରେକେ ନିଜ ନିଜ ସୁବିଧା ମୁତାବକ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଅନ୍ୟୁନ ୮ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ନିଜ ଭିଟାମାଟିକୁ ଫେରିଥିଲେ ଏପରିକି ବହୁ ପ୍ରବାସୀ ଓଡିଆ ସରକାରୀ କଟକଣାକୁ ଆଡେଇ ଲୁଚି ଛପି ଅଣ ଫାଟକରେ ଭିଟାମାଟିରେ ପହଞ୍ଚିଲେ । ହାତରେ କୋଭିଡ୍ ସିଲ ନଥିବା ବହୁ ଲୋକ ଟ୍ରେନ ମାଧ୍ୟମରେ ମଧ୍ୟ ଘରକୁ ବାହୁଡିଲେ । କିନ୍ତୁ ଜିଲ୍ଲାପାଳ ବ୍ୟବସ୍ଥା କରିବା ପରିବର୍ତେ ସଂଖ୍ୟାକୁ ଲୁଚାଇ ୮ଲକ୍ଷ ବଦଳରେ ୨ଲକ୍ଷ ୫୦ହଜାର ବୋଲି କହିବା ହାସ୍ୟସ୍ପଦ । ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କୁ ରାଜ୍ୟ ସରକାର ଥଇଥାନ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି , ଦାନା ପାଣି ଅଭାବରୁ ପ୍ରବାସୀ ଜୀବନ ବିତାଉଥିବା ଓଡିଆ ମାନଙ୍କୁ ନିଜ ଭିଟାମାଟିକୁ ଫେରିବାର ଖୋରାକ୍ ଯୋଗାଇ ଥିଲା ବହୁ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଭରଷାରେ ମଧ୍ୟ ଜିଲ୍ଲାକୁ ଫେରିଆସିଲେ ତେବେ ସରକାର ଯେଉଁ ଭଳି ଭାବେ ସମସ୍ତ ପ୍ରବାସୀ ମାନଙ୍କ ଜୀବନ ଜୀବୀକାର ଦାୟୀତ୍ୱ ସରକାର ନେବେ ଓ କୁଶଳୀ ଓ ଅଣକୁଶଳୀ ମାନଙ୍କୁ ଥଇଥାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାହାର କାଣିଚାଏ ମଧ୍ୟ କାର୍ଯ୍ୟ କଲେ ନାହିଁ । ଦୀର୍ଘ ୪ମାସ କାଳ ବାହରୁ ଫେରିଥିବା ପ୍ରବାସୀ ମାନେ କୌଣସି କାମଧନ୍ଦା ନପାଇ ଖାଲି ବସିରହିଲେ, ବାହାରେ ଖଟି ସଞ୍ଚିତ ରଖିଥିବା ପଇସା ମଧ୍ୟ ସରକାରଙ୍କ ଭରଷାରେ ଚାରିମାସ କୌଣସି ରୋଜଗାର ନପାଇ ହରାଇ ବସିଲେ ବର୍ତମାନ ଭୋକ ଉପାସରୁ ପରିବାରକୁ ବଞ୍ଚାଇବା ପାଇଁ ପୁଣି ପ୍ରବାସୀ ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି । ଶ୍ରମିକ ଅଭାବରୁ ଅନ୍ୟରାଜ୍ୟରେ ବନ୍ଦ ପଡିଥିବା କାରଖାନା ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ କାରଖାନା ମାଲିକ ମାନେ ଦଲାଲ ମାନଙ୍କ ସହାୟତାରେ ଜିଲ୍ଲାରେ ଆସି ଶହ ଶହ ବସଧରି ଡେରା ପକାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ବାଧ୍ୟ ହୋଇ ରାଜ୍ୟ ଛାଡୁଛନ୍ତି ଏହା କାହାରିକୁ ଅଗୋଚର ନାହିଁ କିନ୍ତୁ ଦାନା ଓ କାମ ଅଭାବରୁ ବହୁ ସଂଖ୍ୟାରେ ପ୍ରତିଦିନ ରାଜ୍ୟ ଛାଡୁଥିବା ବିଷୟ ଜିଲ୍ଲା ପ୍ରଶାସନ ହୁଅନ୍ତୁ କିମ୍ବା ରାଜ୍ୟ ସରକାର ଅଶ୍ୱିକାର କରିବା ହାସ୍ୟସ୍ପଦ କଥା । ଦୀର୍ଘ ୫ମାସ ହେଲା ସରକାର ବିଭିନ୍ନ କଥା କହି କେବଳ ଭୁଆଁ ବୁଲାଉଥିବା ବେଳେ ପ୍ରବାସୀ ମାନଙ୍କୁ ଥଇଥାନ କରିବା ପାଇଁ ରୋଡ୍ ମେପିଂ ତିଆରୀ କରିବା କେବଳ ଧୁଆଁ ବାଣ । କାଁ ଭାଁ କେଉଁଠି ମନେରେଗା କାମ ଚାଲିଥିବା ବେଳେ ଏମ.ଜି.ଏନ୍‌.ଆର.ଇ.ଜି.ଏସ୍‌ରେ ଗଛ ଲଗାଇବା ପାଇଁ ଗାତ ଖୋଳିବାକୁ ସରକାର ଶ୍ରମିକ ମାନଙ୍କୁ ୧୨ଟଙ୍କା ଦେଉଛନ୍ତି,ଯେଉଁ କିଛି ଶ୍ରମିକ ମାନେ କାମ ପାଉଛନ୍ତି ଦୈନିକ ୨୦୦ ଟଙ୍କା ପାଇବା କଷ୍ଟ । ରାଜ୍ୟରେ ପ୍ରବାସୀ ଶ୍ରମିକ ମାନଙ୍କ ନାମ ସଠିକ ଭାବେ ଶ୍ରମିକ ପଞ୍ଜିକରଣ ତାଲିକାଭୁକ୍ତ ନକରି, ସେମାନଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି କଥା କହିବା ରାଜ୍ୟ ସରକାରଙ୍କର ଶ୍ରମିକ ମାନଙ୍କ ପ୍ରତି ଏକ ପ୍ରହେଳିକା ମାତ୍ର ଦୀର୍ଘ ବର୍ଷ ଧରି ରାଜ୍ୟ ସରକାର ଶିଳ୍ପ ଓ କାରଖାନା ନିର୍ମାଣ ପାଇଁ କେବଳ ରାଜନୀତି କରୁଛନ୍ତି । କାରଖାନ ନିର୍ମାଣ ହେଉଛି ନା ଲୋକଙ୍କୁ କାମ ମିଳୁଛି । ଗଞ୍ଜାମ ଜିଲ୍ଲାରେ ଚାରୋଟି ଇଣ୍ଡଷ୍ଟ୍ରିଆଲ ହବ ଆଙ୍କୁଲି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌, ହଳଦିଆପଦର ଅଟୋ ନଗର,ଆମ୍ବପୁଆ ଆଇ.ଟି ପାର୍କ ଏବଂ ଛତ୍ରପୁର ସାମୁଦ୍ରିକ ଖାଦ୍ୟ ପାର୍କ ମଧ୍ୟରୁ ଅଳ୍ପ କେତୋଟି କାର୍ଯ୍ୟକ୍ଷମ ଥିବା ବେଳେ ବାକି ତକ ଅକାମୀ ହୋଇ ପଡିରହିଛି । ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ମାନଙ୍କୁ ରାଜ୍ୟ ସରକାର ପ୍ରଦାନ କରିଥିବା ୩୪,୫୩୮ ଏକର ଜମି ମଧ୍ୟରୁ ଅନେକ ଅପବ୍ୟବହାର ହୋଇଥିବା , କିଛି ବ୍ୟବହାର ହୋଇନଥିବା ଏବଂ ବ୍ୟବହାର ହେଉଥିବା ଜମିରେ ଶିଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ନଥିବା ନଜିରକୁ ଆସିଛି । ଏପରିକି ମେଗା ପ୍ରକଳ୍ପ ନାମରେ ଟାଟା କମ୍ପାନୀକୁ ହଜାର ହଜାର ଏକର ଚାଷ ଜମି ଚାଷୀଙ୍କ ଠାରୁ ଛଡେଇ ନେଇ ଆବଣ୍ଟିତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲା ବାସୀଙ୍କ ସ୍ୱପ୍ନ ଦିବାସ୍ୱପ୍ନ ପରି ପ୍ରତୀୟମାନ ହେଉଛି । ତେଣୁ ଜିଲ୍ଲା ଭାଜପା ଦାବୀ କରୁଛି କି ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଥିବା ରୁଗ୍‌ଣ ଶିଳ୍ପ ଯଥା – ଆସକା ସ୍ପିନିଂ ମିଲ୍‌, ଆସିକା ଚିନି କଳ, ଆମ୍ବପୁଆ ଆଇ.ଟି ପାର୍କ, ଆଙ୍କୁଲୀ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ, ଅଟୋ ନଗର, ମେଗା ଟାଟା ପ୍ରକଳ୍ପ ଓ ବ୍ରହ୍ମପୁରର ପାଟ ଶିଳ୍ପ ଇତ୍ୟାଦିକୁ ପୁର୍ନରୁଦ୍ଧାର କରିବା ସହ ଶିଳ୍ପକୁ ଅଗ୍ରାଧିକାର ଦେଇ ପ୍ରବାସୀ ମାନଙ୍କ ମାନବ ସମ୍ବଳକୁ ଜିଲ୍ଲା ପାଇଁ ଉପଯୋଗ କରାଯାଉ । ରାଜ୍ୟ ସରକାର କୌଣସି କପଟତା ନ ରଖି ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତ୍ମନିର୍ଭର ଭାରତ ଯୋଜନାରେ ଉଦ୍ୟୋଗ ଏବଂ ଉଦ୍ୟୋଗୀଙ୍କୁ ଅଗ୍ରାଧିକାର ଦେଇ ଜିଲ୍ଲାକୁ ଶିଳ୍ପ କ୍ଷେତ୍ରରେ ସ୍ୱାବଲମ୍ବୀ କରନ୍ତୁ । ଏତଦ୍ ବ୍ୟତୀତ ଶୀତଳ ଭଣ୍ଡାର ନିର୍ମାଣ, ମାଛ ପ୍ରକ୍ରିୟା କରଣର ଉନ୍ନତିକରଣ, କିଆଫୁଲ ଚାଷର ଉନ୍ନତି ଓ କ୍ଲଷ୍ଟର ଘୋଷଣା, କାଜୁ କ୍ଲଷ୍ଟର ଘୋଷଣା , ଜୀର୍ଣ୍ଣ ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର, ନୂତନ ଜଳ ସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବା ସହ କୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ କରି ଜିଲ୍ଲରେ ଆତ୍ମନିର୍ଭରର ସୁଯୋଗ ସୃଷ୍ଟି କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ