ପ୍ରବାସୀ ପତ୍ରାଳାପ
ସାତ ଦରିଆରେ
ଜୀବନ ସଉଦା
ପେଟ ଚାଖଣ୍ଡକ ପାଇଁ,
ଯେତେଦୂରେ ଥିଲେ
ମାଆ ମାଟି ମୋହ
ମନେ ସିହରି ଉଠଇ ।
ଜଳିଥିଲା ସେଠି
ଏନ୍ତୁଡିର ନିଆଁ
ଶୁଭେ ଷଠିଘର କୁଆଁ ,
ଏବେ ଜଳେ ନିଆଁ
ମନରେ ପେଟର
ବିଦେଶରେ ଛାଡି ଗାଁ ।
ପଢିଥିଲି ସେଠି
ମାଟି ସିଲଟରେ
ଖେଳିଛି ମାଟିରେ ଗଡି,
ଧୂଳି ମାଟି ଡାକ
ଦରିଆ ସେପାରୁ
ଆଣିଛି ପ୍ରବାସୁ ଭିଡି ।
ତା ସ୍ନେହ ଦଉଡି
ମୋ ଦେହରେ ଭିଡି
ଛାଡିଥିଲା ବହୁଦୂର,
ଅଦୃଶ୍ଯ ହେବାରୁ
ଟିକେ ଭିଡିଦେଲା
ତାପାଖେ ହେଲି ହାଜର ।
ତା ସୁଖ ଦୁଃଖରେ
ସହଭାଗୀ ହେଲେ
ସମାଧାନ ସହଜରେ,
ଯେତିକି ଅର୍ଜିଛେ
କିଛି ଦେଇଦେବା
ନାଁ ରହିବ ଗାଁରେ ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ