ପ୍ରବାସୀ ଶ୍ରମିକଙ୍କୁ ମିଳିପାରେ ବୀମା କଭର !
ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ବୀମା କଭର ତଥା ଠିକା ଶ୍ରମିକର ଷ୍ଟାଟସ ଦେବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି । ଶ୍ରମ ସମ୍ପର୍କିତ ସଂସଦର ସ୍ଥାୟୀ କମିଟି ଚଳିତ ମାସ ଶେଷ ସୁଦ୍ଧା ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ରିପୋର୍ଟରେ କିଛି ଗୁରୁ୍ତ୍ୱପୂର୍ଣ୍ଣ ସୁପାରିସ କରି ସରକାରଙ୍କୁ ପ୍ରଦାନ କରିବେ । ସଂସଦର ମୌସୁମୀ ଅଧିବେଶନରେ ଏ ବାବଦରେ ବିଲ ଆଗତ କରାଯିବାର ସମ୍ଭାବନା ରହିଛି । ଶ୍ରମ କମିଟି ପ୍ରବାସୀ ଶ୍ରମିକମାନଙ୍କୁ ଠିକା ଶ୍ରମିକର ମର୍ଯ୍ୟାଦା, ସ୍ୱାସ୍ଥ୍ୟ ବୀମା ଓ ଜୀବନ ବୀମା ଭଳି ସୁବିଧା ଯୋଗାଇ ଦେବା ପାଇଁ ସୁପାରିସ କରିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି । ଏତଦ ବ୍ୟତିତ ପ୍ରବାସୀ ଶ୍ରମିକମାନଙ୍କର ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ପାଇଁ ମଧ୍ୟ କମିଟି ସୁପାରିଶ କରିବ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କର ଏକାଧିକ ସମସ୍ୟାକୁ ନେଇ ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସହରରୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ରୋଜଗାର ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ।