ପ୍ରବାସୀ ଶ୍ରମିକଙ୍କ ସେବାରେ ୟୁବିଏସ୍ଏସ୍
ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାର ଅନେକ ଆର୍ଥିକ ପ୍ୟାକେଜ ଘୋଷଣା କରିବା ସତ୍ୱେ ପ୍ରବାସୀ ମାନେ ନିଜ ରାଜ୍ୟକୁ ଯେନତେନ ପ୍ରକାରେଣ ଜିବା ପାଇଁ ପଣ କରିଛନ୍ତି । କାରଣ କଳକାରଖାନା କେବେ ଖୋଲିବ ସେଥିନେଇ ସେମାନଙ୍କ ମନରେ ଅନିଶ୍ଚିତତା ଲାଗି ରହିଛି । ସରକାରଙ୍କ ସ୍ୱତନ୍ତ୍ର ଟ୍ରେନକୁ ଅପେକ୍ଷା ନକରି ସେମାନେ ନିଜ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଗାଡିରେ ବିପଦଜନକ ଭାବେ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଚାଲି ଚାଲି ଶହ ଶହ କିଲୋମିଟର ମଧ୍ୟ ଯାଉଛନ୍ତି । ସେହି ପ୍ରବାସୀ ଶ୍ରମିକଙ୍କ ଦୁଃଖଦ ଯାତ୍ରାରେ ସେମାନଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛି ଉତ୍କଳ ବିପନ୍ନ ସହାୟତା ସମିତି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତତ୍ୱାବଧାନରେ ଉତ୍କଳ ବିପନ୍ନ ସହାୟତା ସମିତି ସହଯୋଗରେ ଭୁବନେଶ୍ୱରର ତିନୋଟି ସ୍ଥାନ ନଖରା, ହଂସପାଳ ଓ ବରମୁଣ୍ଡା ଠାରେ ସହାୟତା ଶିବିର କାମ କରୁଅଛି । ଚାଲି ଚାଲି ଯାଉଥିବା ପ୍ରବାସୀମାନଙ୍କୁ ପାଣି, ସୁଖିଲା ଖାଦ୍ୟ, ସାନିଟାଇଜର, ମାସ୍କ ଆଦି ଦେବା ସହିତ ସ୍ଥାନୀୟ ପ୍ରଶାସନଙ୍କୁ ସେମାନଙ୍କ ବିଷୟ ଜଣାଇ ଦିଆଯାଉଛି । ପ୍ରଶାସନ ଖବର ପାଇବା ପରେ ସେମାନଙ୍କୁ ଗାଡି ଯୋଗ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଉଛନ୍ତି । ଆଜି ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ୩୫ରୁ ଉର୍ଦ୍ଧ୍ୱ ପ୍ରବାସୀଙ୍କୁ ବରମୁଣ୍ଡା ଶିବିରରେ ଏହି ସବୁ ସେବା ଯୋଗାଇ ଦିଆଯାଇଛି । ନଖରା ଠାରେ ଚେନ୍ନାଇ ରୁ କେନ୍ଦ୍ରାପଡା ଅଭିମୁଖେ ସାଇକେଲରେ ଯାଉଥିବା ୯ ଜଣଙ୍କୁ ମଧ୍ୟ ଏହି ସେବା ଯୋଗାଇ ଦିଆଯାଇଛି ବୋଲି ଉକ୍ତ ସେବାର ଦାୟିତ୍ୱରେ ଥିବା ସଂଗଠନର ମାର୍ଗ ପ୍ରମୁଖ ଶ୍ରୀ ଜୟକୃଷ୍ଣ ପୃଷ୍ଠି ପ୍ରକାଶ କରିଛନ୍ତି । କେବଳ ଭୁବନେଶ୍ୱରର ନୁହେଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ଖୋର୍ଦ୍ଧା, ବାଲେଶ୍ୱର ରେଲୱେଷ୍ଟେସନ ଆଦି ସ୍ଥାନରେ ପ୍ରବାସୀମାନଙ୍କ ସେବାରେ ନିୟୋଜିତ ଅଛନ୍ତି । କରୋନା ପାଇଁ ହୋଇଥିବା ତାଲାବନ୍ଦ ଯୋଗୁଁ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ରହିଥିବାରୁ ବିଭିନ୍ନ ହସ୍ପିଟାଲରେ ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ରନ୍ଧାଖାଦ୍ୟ ଓ ସୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଭବନେଶ୍ୱର ମହାନଗର ତରଫରୁ ଉତ୍କଳ ବିପନ୍ନ ସହାୟତା ସମିତ ମାଧ୍ୟମରେ ଏଆଇଆଇଏମ୍ଏସ୍ରେ ଥିବା ରୋଗୀ ଓ ତାଙ୍କ ପରିଜନମାନଙ୍କୁ ୨୬ ଦିନ ହେବ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ୱରରେ ପ୍ରତ୍ୟେକ ଦିନ ୩୨୦ ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ଖାଦ୍ୟ ବିତରଣ କରାଯାଉ ଥିବା ବେଳେ ୯୦୦୦ରୁ ଉର୍ଦ୍ଧ୍ୱ ରନ୍ଧାଖାଦ୍ୟ ପ୍ୟାକେଟ ବିତରଣ କରି ସାରିଲେଣି ସଂଘର ସ୍ୱୟଂସେବକ । ସେହିପରି ଏହି ମେଡିକାଲରେ ପ୍ରତ୍ୟେକ ଦିନ ୨୨ ପରିବାରକୁ ଶୁଖିଲା ଖାଦ୍ୟ ଦିଆଯାଉଥିବାବେଳେ ୩୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଉପକୃତ ହୋଇ ପାରିଛନ୍ତି । ୭୨୯ ଜଣଙ୍କୁ କାଢା ପିଇବା ପାଇଁ ଦିଆ ଯାଇଛି । ସଂଘର ସ୍ୱୟଂସବେକମାନେ ଏଆଇଆଇଏମ୍ଏସ୍ ଓ ସଂଜିବନୀ ହସପିଟାଲରେ ୮୪୫ ଜଣଙ୍କୁ ମାସ୍କ ବିତରଣ କରିଛନ୍ତି । ଖଣ୍ଡଗିରିର ସ୍ୱୟଂସେବକମାନେ ୮୩୦ ଘରକୁ ସାନିଟାଇଜେସନ କରିଛନ୍ତି । ପ୍ରତ୍ୟେକ ଦିନ ଏହି ସେବାକାମରେ ୧୨ ଜଣ ସ୍ୱୟଂସେବକ ସାମିଲ ହେଉଛନ୍ତି ।