ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନାମରେ ଏକ ଟ୍ରେନ୍ ଚାଲିବା ପାଇଁ ପୁନର୍ବାର ଦାବି ଜୋର୍ ଧରିଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଫଗୁଣ ଯୁବ ମହୋତ୍ସବ କମିଟି ତରଫରୁ ଅଶୋକ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ସ୍ଥାନୀୟ ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜରଙ୍କୁ ଭେଟି ପ୍ରଭୁ ଲିଙ୍ଗରାଜଙ୍କ ନାମରେ ନୂତନ ବା ଚାଲୁଥିବା ଏକ ଟ୍ରେନର ନାମକୁ ଲିଙ୍ଗରାଜ ଏକ୍ସପ୍ରେସ ନାମରେ ନାମିତ କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଜେନେରାଲ ମ୍ୟାନେଜରଙ୍କ ପ୍ରତିନିଧି ଭାବେ ପିସିଓଏମ୍ ଅଧିକାରୀ ୱାଇ.ଏନ୍. ବାବୁ ଆଲୋଚନା କରିଥିଲେ । ଏ ବିଷୟରେ ଆମେ ରେଳ ମନ୍ତ୍ରୀଙ୍କ ପାଖକୁ ଖୁବ୍ ଶୀଘ୍ର ପତ୍ର ଲେଖି ଅନୁରୋଧ କରିବୁ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଫଗୁଣ ଯୁବ ମହୋତ୍ସବ କମିଟି ତରଫରୁ ପ୍ରାୟ ୧୫ବର୍ଷ ଧରି ଏହି ଦାବି କରିଆସୁଛି । ଗତ ଦୁଇବର୍ଷ କୋଭିଡ଼ ଯୋଗୁ ଏଥିପାଇଁ କାର୍ଯ୍ୟକ୍ରମ ବନ୍ଦ ଥିଲାବେଳେ ଆଜି ସକାଳେ ଏକ ବୈଠକରେ ନିଷ୍ପତ୍ତି ହୋଇ ସମସ୍ତଙ୍କୁ ଦାବି ପତ୍ର ପଠାଯିବା ପାଇଁ ନିଷ୍ପତ୍ତି ହେଲା । ରେଳ ମନ୍ତ୍ରୀଙ୍କୁ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସନ୍ତା ୬ ତାରିଖରେ ଭେଟିବ ବୋଲି ନିଷ୍ପତ୍ତି ନେଇ ରେଳ ବିଭାଗ ଠାରୁ ଅନୁମତି ମଗାଯାଇଛି । ୨୦୧୮ରେ ତତ୍କାଳୀନ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଦିଆଯାଇଥିଲା । ବର୍ତ୍ତମାନ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ଥିବାରୁ ଦାବି ପୂରଣ ହେବ ବୋଲି ଆଶା କରୁଛୁ । ଏହାର ଏକ ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ସଦସ୍ୟ, କଂଗ୍ରେସ ବିରୋଧୀ ଦଳ ନେତା, ପ୍ରଦେଶ କଂଗ୍ରେସ ସଭାପତି, ବିଜେପି ସଭାପତିଙ୍କୁ ମଧ୍ୟ ପ୍ରଦାନ କରାଯିବ । ଏହା ଓଡ଼ିଶାର ସଂସ୍କୃତି, କଳା ଓ ଧର୍ମର ସ୍ୱାର୍ଥ ପାଇଁ ଦାସ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ସମ୍ପାଦକ ଦେବାଶିଷ ଦାସ, ବ୍ରହ୍ମାନନ୍ଦ ସାହୁ, ମିହିର ଆଚାର୍ଯ୍ୟ, ଅନିଲ ଦାସ, ସଞ୍ଜୟ ନାୟକ ଓ ଯୋଗେଶ ଚନ୍ଦ୍ର ମାଝୀ ପ୍ରମୁଖ ସାମିଲ୍ ହୋଇଥିଲେ ।