ପ୍ରମାଣ ପତ୍ର ପ୍ରଦାନରେ ଟାଳଟୁଳ ନୀତି; ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ଗତ କିଛି ଦିନ ହେବ ବନ୍ତ ତହସିଲରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଓ ନାମଲେଖାରେ ଆବଶ୍ୟକ କରୁଥିବା ପ୍ରମାଣ ପତ୍ର ନପାଇ ନାନାଦି ସମସ୍ୟା ଭୋଗୁଥିବାର ଅଭିଯୋଗ ହୋଇଛି । ପ୍ରକାଶ ଯେ, ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ନିମନ୍ତେ ନାମଲେଖାଇବା ସହ ବିଭିନ୍ନ ନିଯୁକ୍ତି ପାଇଁ ଆବେଦନ କରିଥାନ୍ତି । ଏପରିସ୍ଥଳେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାସିନ୍ଦା, ଜାତିଗତ ଓ ଆୟ ପ୍ରମାଣ ପତ୍ର ଜରୁରୀ ହୋଇଥାଏ । ଏପରିସ୍ଥଳେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିବା ସହ ଆବଶ୍ୟକ ଦେୟ ପ୍ରଦାନ କରିଥାନ୍ତି । ମାତ୍ର ଦୀର୍ଘ ଦିନ ପରେ ମଧ୍ୟ ସେମାନଙ୍କୁ ପ୍ରମାଣ ପତ୍ର ମିଳିପାରୁନାହିଁ । ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ଏପରିକି କେତେକ ଜନସେବା କେନ୍ଦ୍ରରେ ଗତ ଜାନୁଆରୀ ମାସରୁ ପ୍ରମାଣ ପତ୍ର ପାଇଁ ଆବେଦନ ହୋଇଥିଲେ ମଧ୍ୟ ଅଦ୍ୟାବଧି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ମିଳି ପାରିନାହିଁ । ଫଳରେ ଛାତ୍ରଛାତ୍ରୀ ମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜିଲାପାଳ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଉପରୋକ୍ତ ସମସ୍ୟାର ସମାଧାନ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦାବୀ କରିଛନ୍ତି ।