ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ଘୋଷଣା ପ୍ରତ୍ୟାହାର ଦାବି ରେ ଆନ୍ଦୋଳନ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଓ ପୂର୍ବତନ ମୁଖ୍ୟ ବିଚାରପତିମାନଙ୍କ ସମ୍ପର୍କରେ ଟୁଇଟ୍ କରିବା ଅଭିଯୋଗରେ ଦେଶର ବିଶିଷ୍ଟ ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ଓ ଦଣ୍ଡିତ କରିବା ପ୍ରକ୍ରିୟାକୁ ଓଡ଼ିଶାର ବିଭିନ୍ନ ଗଣତାନ୍ତ୍ରିକ ଓ ମାନବିକ ଅଧିକାର ସଂଗଠନର ନେତୃବୃନ୍ଦ ସମାଲୋଚନା କରିବା ସହିତ ଏହାକୁ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
ମତବ୍ୟକ୍ତ କରିବାର ସାମ୍ବିଧାନିକ ଅଧିକାର ଉପରେ ଏହା ଏକ ନଗ୍ନ ଆକ୍ରମଣ ବୋଲି ଅଭିଯୋଗ କରି ଏହା ବିରୋଧରେ ଦେଶବ୍ୟାପୀ ସୃଷ୍ଟି ହୋଇଥିବା ପ୍ରତିକ୍ରିୟା ଓ ପ୍ରତିବାଦ ସହିତ ସାମିଲ ହୋଇ “ଆମେ ପ୍ରଶାନ୍ତ ଭୂଷଣଙ୍କ ସହ ଅଛୁ’ ବୋଲି ସ୍ଲୋଗାନ ଦେଇ ଆଜି ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଗଣସଂଗଠନ ଓ ମାନବ ଅଧିକାର ସଂଗଠନ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ନ୍ୟାୟପାଳିକା ହେଉ କିମ୍ବା ବ୍ୟବସ୍ଥାପିକା ହେଉ, ଜନସାଧାରଣ ସମସ୍ତଙ୍କ ଉପରେ ଏବଂ ଜନସାଧାରଣଙ୍କ ମତବ୍ୟକ୍ତ କରିବା ତଥା ସମାଲୋଚନା କରିବା ଅଧିକାର ଉପରେ ଅଙ୍କୁଶ ଲଗାଇବା ଅର୍ଥ ଗଣତନ୍ତ୍ରର କଣ୍ଠରୋଧ କରିବା ବୋଲି ପ୍ରତିବାଦକାରୀମାନେ ଅଭିଯୋଗ କରିଥିଲେ । କାଶ୍ମୀର ଜନସାଧାରଣଙ୍କ ଉପରେ ଦମନଲୀଳା ହେଉ କିମ୍ବା କରୋନା ବିପର୍ଯ୍ୟୟ ଆଳରେ ପ୍ରବାସୀ ଶ୍ରମିକଙ୍କ ନିର୍ଯ୍ୟାତନା ତଥା ପେଟ-ପାଟଣା ସମସ୍ୟା ହେଉ ଅଥବା ନାଗରିକ ଅଧିକାର ସଂଶୋଧନ ଆଇନ୍ ନାମରେ ସାଧାରଣ ଜନତାର ସ୍ୱାର୍ଥ ବିଷୟକୁ ସର୍ବୋଚ୍ଚ ନ୍ୟାୟାଳୟ ଭୁଲି ଯାଇଥିବା ବେଳେ ଏକ ସାଧାରଣ ସମାଲୋଚନାମୂଳକ ମନ୍ତବ୍ୟ ବିରୋଧରେ ସୁପ୍ରିମକୋର୍ଟ ନିଜ ଆଡୁ ମକଦ୍ଦମା ରୁଜୁ କରିବା ଅତ୍ୟନ୍ତ ହାସ୍ୟସ୍ପଦ ବୋଲି ସେମାନେ ମତ ଦେଇଛନ୍ତି । ଦେଶର ପ୍ରମୁଖ ସମସ୍ୟା ସମ୍ବନ୍ଧରେ ସଦାସର୍ବଦା ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ କରି ବିଚାର ବିଭାଗକୁ ଜାଗ୍ରତ କରୁଥିବା ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡିତ କରିବା ଦ୍ୱାରା ସୁପ୍ରିମକୋର୍ଟ ନିଜର ମର୍ଯ୍ୟାଦାହାନୀ କରୁଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଅଦାଲାତ ଅବମାନନା ଭଳି ବ୍ରିଟିଶ ଶାସନର ଔପନିବେଶ ତଥା ଜନବିରୋଧୀ ଆଇନ୍କୁ ଅବିଳମ୍ବେ ଉଚ୍ଛେଦ କରିବା ସହିତ ଆଇନ୍ଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ ଘୋଷଣା ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି ।ଆଜିର ଏହି ପ୍ରତିବାଦରେ ଅଖିଳ ଭାରତ ଜନମଞ୍ଚର ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡ଼ା, ଜନ ଅଧିକାର ମଞ୍ଚର ବିଶ୍ୱପ୍ରିୟ କାନୁନ୍ଗୋ, ମିଥ୍ୟ ମକଦ୍ଦମା ବିରୋଧୀ ଅଭିଯାନର ନରେନ୍ଦ୍ର ମହାନ୍ତି, ବସ୍ତି ସୁରକ୍ଷା ମଞ୍ଚର ପ୍ରମିଳା ବେହେରା, ବରିଷ୍ଠ ସାମ୍ବାଦିକ ରବିଦାସ, ରାଜେଶ ମହାପାତ୍ର, ଆମେ ଭାରତବାସୀ ପକ୍ଷରୁ ସୁରେଶ ପାଣିଗ୍ରାହୀ, ମାନସ ପଟ୍ଟନାୟକ, ସୁଧୀର ପଟ୍ଟନାୟକ,ସାମାଜିକ କର୍ମୀ ସଞ୍ଜୀବ ପତ୍ରୀ, ଶ୍ରୀମନ୍ତ ମହାନ୍ତି, ସୁଦର୍ଶନ ଦାସ, ଗାନ୍ଧିବାଦୀ ପ୍ରହ୍ଲାଦ ସିଂ, ନିରଞ୍ଜନ ମହାନ୍ତି, ଉମା ବଲ୍ଲଭ ରଥ, ଦେବୀ ପୃଷ୍ଟି, ସ୍ୱାତି ମିଶ୍ର ଓ ମାନସ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


