ପ୍ରଶାସକ ପରିଚାଳିତ ମା ତାରାତାରିଣୀ ପୀଠ

ବୁଗୁଡା ( ଅନିଲ କୁମାର ମହାରଣା ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା ପୁରୁଷୋତ୍ତମପୁର ବ୍ଲକର କୁମାରୀ ପାହାଡ ଶୀର୍ଷ ଦେଶରେ ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ମନ୍ଦିର ଅବସ୍ଥିତ। ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଓ ଆଧ୍ୟାତ୍ମିକ ପୀଠର ବିକାଶ ପାଇଁ ପଦକ୍ଷେପ ନେଇଥିବା ବେଳେ ସେଥିରେ ସାମିଲ ହୋଇଛି ମା ତାରାତାରିଣୀଙ୍କ ପବିତ୍ର ଶକ୍ତିପୀଠ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭି ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏହି ପବିତ୍ର ପୀଠରେ ପହଞ୍ଚି ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ବିଷୟରେ ଅନୁଧ୍ୟାନ ଓ ଆଲୋଚନା କରିଥିଲେ। ବର୍ତ୍ତମାନ ଏହି ପୀଠର ପରିଚାଳନା ଦାୟୀତ୍ୱ ନିଜେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗ୍ରହଣ କରିଥିବା ବେଳେ ଏହି ପବିତ୍ର ପୀଠର ଚୈତ୍ର ପର୍ବ ପାଳନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି।ପବିତ୍ର ହୋଲି ପର୍ବରୁ ଚୈତ୍ର ମାସ ଆରମ୍ଭ ହୋଉଥିବା ବେଳେ ପ୍ରଥମ ଦିନହିଁ ମଙ୍ଗଳ ବାର ପଡ଼ିଥିବା ଯୋଗୁଁ ପାଞ୍ଚଟି ମଙ୍ଗଳବାରରେ ମା’ଙ୍କ ପବିତ୍ର ଚୈତ୍ର ପର୍ବ ପାଳନ କରାଯିବ। ବହୁ ଜନସମାଗମକୁ ଦୃଷ୍ଟିରେ ରଖି ରବିବାର ଦିନ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ଜିଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି କେ ରେଡ୍ଡୀ, ତହସିଲଦାର ଅରୁଣ କୁମାର ନାୟକ, ବିଡ଼ିଓ ସୀମାଞ୍ଚଳ ମାହାନ୍ତି, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ତୁଷାରକାନ୍ତ ସାହୁ, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଟୁଡୁ, ପୋଲିସି ଅଧିକାରୀ ସୁନୀଲ କୁମାର ପ୍ରଧାନ ପ୍ରମୁଖ ଅଧିକାରୀ ବୃନ୍ଦ ଯୋଗଦେଇ ଚୈତ୍ର ପର୍ବ କିପରି ଶାନ୍ତି ଶୃଙ୍ଖଳା ସହ ପରିଚାଳିତ ହେବ ଆଲୋଚନା କରିଥିଲେ। ଚଳିତ ଚୈତ୍ର ପର୍ବର ପ୍ରଥମ ମଙ୍ଗଳବାର ଦିନ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଛାୟା ପ୍ରଦାନ ବ୍ୟବସ୍ଥା, ପାନୀୟ ଜଳଯୋଗାଣ ବ୍ୟବସ୍ଥା,ରାତ୍ରରେ ଆଲୋକ ବ୍ୟବସ୍ଥା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତିନି ଜଣ ଡ଼ିଏସପିଙ୍କ ନେତୃତ୍ବରେ ଆଠ ପ୍ଲାଟୁନ ପୋଲିସ ଫୋର୍ସ ଓ ପୋଲିସ ଅଧିକାରୀ ମୁତୟନ ଥିଲେ । ଆଲୋକ ସଜ୍ଜାରେ ମା ତାରାତାରିଣୀଙ୍କ ପୀଠ ଝଲସୀ ଉଠିବା ସହ ଜନସାଧାରଣଙ୍କୁ ଆକୃଷ୍ଟ କରିପାରିଥିଲା। ମା’ଙ୍କ ପୁରାତନ ପୀଠ ଦେଖିଥିବା ଶ୍ରଦ୍ଧାଳୁ ବୃନ୍ଦ ବର୍ତ୍ତମାନର ମା’ଙ୍କ ପୀଠ ଦେଖିବା ପରେ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟ ଶୈଳୀକୁ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ