ପ୍ରଶାସନକୁ ପଞ୍ଚାୟତକୁ ଡକାଇଲେ ସରପଞ୍ଚ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ପଞ୍ଚାୟତକୁ ଡକାଇଛନ୍ତି ଓସ୍ତପୁର ସରପଞ୍ଚ ପ୍ରସନ୍ନ ରାଉତ । ଏହିଠାରେ ପଞ୍ଚାୟତବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିଛି ଉଭୟ ପ୍ରଶାସନ । କେଉଁ ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବାଦ ପଡିଛନ୍ତି, କେଉଁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାର ବାଦ ପଡିଛନ୍ତି ସେମାନଙ୍କ ଠାରୁ ବୟାନ ନେଇ ସେମାନଙ୍କୁ କିପରି ତୁରନ୍ତ ସେବା ଯୋଗାଇ ହେବ ସେ ନେଇ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲା । ସେହିପରି କେଉଁ କେଉଁ ଯୋଜନା ପଞ୍ଚାୟତରେ କାର୍ଯ୍ୟକାରୀ ହେବା କଥା ସେ ନେଇ ପ୍ରଶାସନ ଲୋକମାନଙ୍କୁ ଅବଗତ କରିଥିଲା । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ, ମତ୍ସ୍ୟବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ମିଶନ ଶକ୍ତି, ସ୍ୱାସ୍ଥ୍ୟ ବିଭାଗ, ବ୍ୟାଙ୍କ ସେବା ବିଭାଗ ପ୍ରମୁଖର ୧୯ଟି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ସରପଞ୍ଚ ଶ୍ରୀ ରାଉତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମ ପଞ୍ଚାୟତରେ କିପରି ଲୋକମାନେ ଉତ୍ତମ ସେବା ପାଇ ପାରିବେ ସେ ନେଇ ଆମେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲୁ । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶକ୍ରମେ ୧୯ଟି ସରକାରୀ ବିଭାଗ ଆମ ପଞ୍ଚାୟତକୁ ଆସି ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ଶୁଣିବା ସହ ଏହାର ସମାଧାନର ସୂତ୍ର ବାହାର କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ବିଡିଓ ବନ୍ଦନା ଖଟୁଆ, ଏବିଡିଓ ଅନିରୁଦ୍ଧ ବେହେରା, ତହସିଲଦାର ହେମଲତା ବାହାଲିଆ, ସିଡିପିଓ କବିତା ନାୟକ, ସମିତିସଭ୍ୟା ରାଜ ଅମାନତ, ୧୭ ଜଣ ୱାର୍ଡ ମେମ୍ବର, ନାୟବ ସରପଞ୍ଚ ମମତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।