ପ୍ରଶାସନର ଅଜ୍ଞାତରେ ଗଜପତିରେ ୨ ନିୟୁର୍କ ବିଦେଶୀ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ପ୍ରଶାସନର ବିନା ଅନୁମତିରେ ଯେକୌଣସି ସ୍ଥାନରେ ବିଦେଶୀ ନାଗରିକ ପ୍ରବେଶ କରି ପାରିବେ ନାହିଁ ବୋଲି ନିୟମ ରହିଛି । ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ଆତଙ୍କ ଦେଖା ଦେଇଛି । ଓଡିଶା ସରକାରଙ୍କ ଏହାକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରି ଅନେକ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏପରିସ୍ଥଳେ ଗଜପତି ଜିଲ୍ଲା ପ୍ରଶାସନର ଅଜ୍ଞାତରେ ଜିଲ୍ଲାରେ ୨ ନିୟୁର୍କ ବିଦେଶୀ ଅବସ୍ଥାନ କରିବା ଏକ ଉଦ୍ବେଗର ବିଷୟ । ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ କେକେସିଂ ଗ୍ରାମର ଆଲ୍ଲାବି ବିର ନାମକ ଜଣେ ପାଷ୍ଟରଙ୍କ ଘରେ ରହିଛନ୍ତି ଏହି ୨ଜଣ ବିଦେଶୀ ନାଗରିକ । ଏମାନେ ହେଲେ ନିୟୁର୍କର ମାଇକେଲ୍ ରୋବଟ୍ କୋଜେକ୍ସ ଏବଂ ମାଇକେଲ୍ ୱାଇନେ । ଏହା ଜିଲ୍ଲା ପ୍ରଶାସନ ଜାଣିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସେଠାକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଆବଶ୍ୟକୀୟ ପରୀକ୍ଷା ନିରିକ୍ଷା କରିଥିଲେ । ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ସ୍ୱାସ୍ଥ୍ୟ ବିଭାଗ ସୁଚନା ଦେଇଛି । ଏହି ୨ଜଣ ନିୟୁର୍କ ବିଦେଶୀ ବିଶାଖପାଟଣା ବିମାନ ବନ୍ଦରରୁ ଗତ ୧୩ ତାରିଖ ଦିନ ଓଡିଶାର ଗୁଣପୁରରେ ପହଞ୍ଚି ଥିଲେ । ଗୁଣପୁର ଠାରୁ ୧୪ ତାରିଖ ଦିନ ଗଜପତି ଜିଲ୍ଲାକୁ ଆସିଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ପାରଳା ଥାନା ଆଇଆଇସି ବିବେକା ନନ୍ଦ ସ୍ୱାଇଁ ଏମାନଙ୍କ ପାସ୍ପୋର୍ଟ ଅନୁଧ୍ୟାନ କରିଛନ୍ତି । ବିନା ଅନୁମତିରେ ଏଭଳି ଆସିବାକୁ ମଧ୍ୟ ବାରଣ କରାଯାଇଛି । ଆଜି ସୋମବାର ଏହି ୨ଜଣ ନିୟୁର୍କ ବିଦେଶୀ ନାଗରିକ ପାରଳାଖେମୁଣ୍ଡି ସହର ଠାରୁ ୨କିମି ଦୁରରେ ଥିବା ଆନ୍ଧ୍ର ଶ୍ରୀକାକୁଳମ୍ ଜିଲ୍ଲାର ପୁରୁଣାପାଟଣା ଗ୍ରାମର ଶ୍ରୀୟା ନାମକ ଏକ ଘରୋଇ ହୋଟେଲରେ ଅବସ୍ଥାନ କରିଥିବା ସୁଚନା ମିଳିଛି । ଗଜପତି ପ୍ରଶାସନ ଓ ପୋଲିସ ଏମାନଙ୍କ ପ୍ରତି ତୀକ୍ଷଣ ଦୃଷ୍ଟି ରଖିଥାବା ଜଣାଯାଇଛି ।


