ପ୍ରଶାସନର କଡା ନଜରରେ ଭୁବନେଶ୍ବର ଫେରନ୍ତା
ଛତ୍ରପୁର:ଭୁବନେଶ୍ବରରେ କରୋନାର ଭୟା ବହତାକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଭୁବନେଶ୍ବର ଫେରନ୍ତା ବ୍ୟକ୍ତି ମାନଙ୍କ ଉପରେ କଡା ନଜର ରଖିବା ପାଇଁ ନିର୍ଦ୍ଦେଶଜାରି କରିଛନ୍ତି।ଏହି ମର୍ମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ପୌର ନିର୍ବାହୀ ଅଧିକାରୀଙ୍କୁ ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ କ୍ବାରେଣ୍ଟାଇନ୍ ରେ ରଖିବା ପାଇଁ କହିଛନ୍ତି।ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ତନଖି ଜୋରଦାର ଚାଲିଥିବା ସ୍ଥଳେ ଅନ୍ୟାନ୍ୟ କଚ୍ଚା ସଡକ ଉପରେ ଦୃଢ ନଜର ରଖିବାପାଇଁ କୁହାଯାଇଛି।ଯେଉଁ ମାନଙ୍କୁ ନିଜ ଘରେ କ୍ବାରେଣ୍ଟାଇନ୍ ରେ ରହିବାପାଇଁ ଅସୁବିଧା ହେଉଛି ସେମାନଙ୍କୁ ଆନୁଷ୍ଠାନିକ କ୍ବାରେଣ୍ଟାଇନ୍ ରେ ରଖାଯିବ।ଜିଲ୍ଲାର ଅତ୍ୟାବଶ୍ୟକୀୟ ସାମଗ୍ରୀ କାରବାର ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ପରଦିନ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ବଳବତ୍ତର ରହିବ।ଏହି ସମୟ ମଧ୍ୟରେ ବାହାରେ ଦେଖିଲେ ପୋଲିସ୍ ତାଙ୍କୁ ଉଠାଇବ।ପ୍ରତ୍ୟେକ ଦୋକାନୀ ଗ୍ରାହକ ମାନଙ୍କୁ ନିର୍ଦ୍ଧାରିତ ଦୂରତ୍ବରେ ରହିବାପାଇଁ ବ୍ୟବସ୍ଥା କରିବେ। ନଚେତ୍ ସେମାନଙ୍କ ନାଁରେ ମୋକଦ୍ଦମା ସହିତ ଦୋକାନରେ ତାଲା ଲଗାଯିବ।ପ୍ରତ୍ୟେକ ବ୍ୟକ୍ତି ବାହାରକୁ ବାହାରିଲେ ନାକ ମୁହଁକୁ ରୁମାଲ, ଗାମୁଛା, ଟିସୁ ପେପର, ମାସ୍କ, ଓଢଣୀ କିମ୍ବା ଅନ୍ୟ କୌଣସି ପ୍ରକାରେ ଆବୃତ୍ତ କରିବେ। ମୁହଁ ଖୋଲା ଥିଲେ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ୧୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ୫୦୦ ଟଙ୍କା ଜୋରିମାନା କରିବେ।ସରକାରୀ କର୍ମଚାରୀ ମାନଙ୍କୁ ସ୍ବତନ୍ତ୍ର ମାସ୍କ ଦେବାପାଇଁ ଜିଲ୍ଲା ପ୍ରଶାସନ ବିଚାର କରୁଛି।ସାଧାରଣ ବଣ୍ଟନ କାର୍ଯ୍ୟକ୍ରମ ଓ ବିଭିନ୍ନ ଭତ୍ତା ବଣ୍ଟନରେ ସାମାଜିକ ଦୂରତ୍ବ ସୁନିଶ୍ଚିତ କରାଯିବ।କୌଣସି ସ୍ଥାନରେ ବ୍ୟତିକ୍ରମ ହେଲେ ସଂପୃକ୍ତ ବିଡିଓ ଅଥବା ପୌର ନିର୍ବାହୀ ଅଧିକାରୀଙ୍କୁ ଦାୟୀ କରାଯିବ। ଜିଲ୍ଲାରେ ପ୍ରତ୍ୟେକ ବ୍ଲକ୍ ରେ ସ୍ବାସ୍ଥ୍ୟ ବିଭାଗର ରାପିଡ୍ ରେସପନସି ବୁଲ୍ ଟିମ୍ ଆନୁସଙ୍ଗିକ ଗାଡି ଓ ଡାକ୍ତରୀଦଳ ସହିତ ମୁତୟନ ହେବେ।ଗ୍ରାମାଞ୍ଚଳରେ ଏମାନେ ତୁରନ୍ତ ଆବଶ୍ୟକ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବେ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସେକ୍ରେଟାରୀ ସମ୍ବିତ ରାଉତ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।