ପ୍ରଶାସନର ନାହିଁ ଅଙ୍କୁଶ : ରାସ୍ତାରେ ବଢୁଛି ବେପାରୁଆ ଗାଡ଼ି ଚାଳନା
ହିଂଜିଳିକାଟୁ, (ଶେଷଦେବ ସାହୁ) : ଗଂଜାମ ଜିଲ୍ଲାର ହିଂଜିଳିକାଟୁ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥରେ ଲଗାମହୀନ ଭାବେ ଗାଡ଼ି ଚାଳନା ବଢିବାରେ ଲାଗିଛି । ମଟର ସାଇକେଲ, ଅଟୋ ରିକ୍ସା, ଟାଟା ମ୍ୟାଜିକ, ଟ୍ରକ, ଟ୍ରାକ୍ଟର, ବଡ଼ ବଡ଼ ହାଥୱା ଟ୍ରକ ଏଭଳି ଢଙ୍ଗରେ ଚାଲୁଛି ଯେ, କେତେବେଳେ ଅଘଟଣ ନଘଟିବ ତାହା କହିହେବ ନାହିଁ । ଦୃତ ଗତିରେ ଅତି ବେପାରୁଆ ଭାବରେ ଚାଲୁଥିବା ଏହି ଯାନ ବାହନ ନିମନ୍ତେ ପରିବହନ ବିଭାଗ ଓ ପୁଲିସର କେତେ କାହିଁ କଟକଣା ଥିଲେ ହେଁ ସେ ସବୁକୁ ଫୁ କରି ଗାଡ଼ି ଚାଳକ ମାନେ ନିଜ ମର୍ଜିରେ ଗାଡ଼ି ଚଳାଉଥିବାରୁ ବିଭିନ୍ନ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଥିଲେ ବି ଏଯାବତ୍ ସେମାନଙ୍କ ଗାଡ଼ି ଚାଳନା ଦିଗରେ କୌଣସି ରୋକ୍ ଲାଗି ପାରୁନାହିଁ । ସବୁଠରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଚାଷ କାର୍ଯ୍ୟ ସକାଶେ ଉଦ୍ଧିଷ୍ଟ ଟ୍ରାକ୍ଟର ଗୁଡ଼ିକ ମାଟି, ଇଟା, ବାଲି, ଗୋଡ଼ି, ସିମେଂଟ ପରିବହନକରି ଜାତୀୟ ରାଜପଥ କିମ୍ବା ରାଜ୍ୟ ରାଜପଥରେ ଯାତାୟତ କରୁଥିବା ବେଳେ ଚାଳକ ମାନେ ଗାଡ଼ିର ବେଗ କ୍ଷିପ୍ର ଗତିରେ ଚଲାଇଥାନ୍ତି । ଟ୍ରାକ୍ଟର ଚାଳକ ମାନଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗ ଚାଳକଙ୍କ ଗାଡ଼ି ଚାଳନା ପ୍ରମାଣପତ୍ର ନଥିବାର ଦେଖିବାକୁ ମିଳୁଛି । ଟ୍ରାକ୍ଟରେ ଶ୍ରମିକ ଭାବେ କିଛିଦିନ କାମ କଲାପରେ ଚାଳକଙ୍କସହ ସଲାସୁତୁରା କରି କିଛିଟା ଗାଡ଼ି ଚାଳନା ଶିଖିଥାନ୍ତି । ପରବର୍ତି ସମୟରେ ମାଲିକ ମାନଙ୍କୁ ଅନୁରୋଧ କରି କମ ପାରିଶ୍ରମିକରେ ଗାଡ଼ି ଚାଳନା କାରିଥାନ୍ତି । ଯଥେଷ୍ଟ ପରିମାଣରେ ଗାଡ଼ି ଚାଳନା ଅନୁଭୂତି ନଥିବାରଯୁ ବହୁ ସମୟରେ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି । ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଂଜିଳିକାଟୁ ପୌରାଂଚଳରେ ଦିନକୁ ଦିନ ଗାଡ଼ି ମୋଟର ହୁ ହୁ ବଢୁଥିବା ବେଳେ ସହରରେ ଟ୍ରାଫିକ ବ୍ୟବସ୍ଥା ନାହିଁ । ହିଂଜିଳିକାଟୁ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବେ ଭୁଷୁଡ଼ି ପଡ଼ିଥିବା ବେଳେ ସହରରେ ଅଟୋ ଓ ମୋଟର ସାଇକେଲର ଚାଳକ ମାନଙ୍କ ଅବସ୍ଥା ତା ଠାରୁ ତଦୃପ । ଅଧିକ ସିସି ବିଶିଷ୍ଟ ବାଇକ ଗୁଡ଼ିକ ନାବାଳକ ମାନେ ଅତ୍ୟନ୍ତ ଷ୍ଟାଇଲରେ ଗାଡ଼ି ଚାଳନା କରୁଥିବା ବେଳେ ବହୁ ସମୟରେ ଦୁର୍ଘଟଣାର ଶିକାର ହୋଇ ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ସୁତରାଂ ପରିବହନ ବିଭାଗ ଓ ସ୍ଥାନୀୟ ପୁଲିସ ପକ୍ଷରୁ ଏକ୍ତ ସହର ଦେଇ ଯାତାୟତ କରୁଥିବା ସମସ୍ତ ଯାନବାହାନର ବେଗ ଓ ଚଳକ ମାନଙ୍କ ଉପରେ ନଜର ରଖି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାିବାକୁ ସାଧାରଣରେ ଦାବୀ ହେଉଛି ।