ପ୍ରଶାସନର ନିର୍ଦ୍ଦେଶକୁ ଡାକ୍ତରଙ୍କ ବେଖାତିରି,ଜରୁରୀ ସେବା ବ୍ୟାହତ
ହିଂଜିଳିକାଟୁ, (ଓ୍ବାଇଏନ୍ଏସ୍):ମହାମାରୀ କରୋନା କୁ ମୁକାବିଲା ସକାଶେ ସବୁ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲୁ ରହିଛି।ପ୍ରଶାସନ ଠାରୁ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ସବୁଠି ବେଶ ତତ୍ପରତା ଦେଖାଦେଇଛି।ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ ଡାଉନ ସହ ସଟ ଡାଉନ ଘୋଷଣା କରି ବିହୀତ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ବିପର୍ଯ୍ୟୟ ମୁକାବିଲା ସମସ୍ତଙ୍କ ପାଇଁ ଏକ ଆହ୍ୱାନ ହୋଇଥିଲା ବେଳେ କିନ୍ତୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ମାନୁ ନ ନାହାଁନ୍ତି ମେଡିକାଲ ଅଧିକାରୀ। ଏଭଳି ଘଟଣା ହିଂଜିଳି ବ୍ଲକ ଅଧିନ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ପରିଚାଳିତ କଞ୍ଚୁରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ନିତିଦିନିଆ ଘଟଣା ହୋଇଛି।ସବୁଠାରୁ ଉଲ୍ଲେଖ ନୀୟ ପ୍ରସଙ୍ଗ ହେଲା ଜରୁରୀ କାଳୀନ ସେବା ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଥିବା ବେଳେ ନିୟୋଜିତ ଡାକ୍ତର ଜଣକ କିନ୍ତୁ ନିଜ ଇଚ୍ଛା ମୁତାବକ କେବେ କେମିତି ଚିକିତ୍ସାଳୟକୁ ଆସୁଥିବା ଜଣା ଯାଇଛି । କରୋନା ପାଇଁ ଜରୁରୀ ସେବାର ବ୍ୟବସ୍ଥା ଓ ନିର୍ଦ୍ଦେଶ ଥିବା ବେଳେ ଡାକ୍ତରଙ୍କ ଆସନ ଦୈନିକ ସମୟ ସାରଣୀ ଠାରୁ ପ୍ରାୟତଃ ଖାଲି ପଡୁ ଥିବା ଜଣାପଡିଛି।ଏନେଇ ଆମ ପ୍ରତିନିଧି ମେଡିକାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।କିନ୍ତୁ ଉପସ୍ଥିତ ଥିବା କର୍ମଚାରୀ ମାନେ ଅସହାୟତା ପ୍ରକାଶ କରିଥିଲେ।ପରେ ବେଲଗାଁ ଇନଚାର୍ଜଙ୍କ ସହ ଯୋଗାଯୋଗ ବେଳେ ସେ ଡାକ୍ତରଙ୍କ ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡାଇ ସଫେଇ ଦେଇଥିଲେ। ଲକ ଡାଉନ ସ୍ଥିତିରେ ଦଣ୍ଡ ଓ ତଣ୍ଡ ନୀତି ଆପଣେଇ ନିୟମ ଉଲଂଘନକାରୀଙ୍କ ପ୍ରତି ଜିଲ୍ଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଭିମୁଖ୍ୟ ସ୍ପଷ୍ଟ କରୁଛି। ତେବେ କର୍ତ୍ତବ୍ୟ ବିମୁଖ ଅମାନିଆ ଚିକିତ୍ସାଧିକାରୀଙ୍କ ପ୍ରତି ପ୍ରଶାସନ କେଉଁ ଆଭିମୁଖ୍ୟ ଗ୍ରହଣ କରି ସ୍ୱଚ୍ଛତା ସ୍ପଷ୍ଟ କରିବ ତାହା ହିଁ ଏବେ ଆଲୋଚ୍ୟ ପ୍ରସଙ୍ଗପାଲଟିଛି।