ପ୍ରଶାସନିକ ଅଧିକାରୀଙ୍କ ବିୟୋଗରେ ଶୋକ
ବାଲେଶ୍ୱର, (ସରୋଜ ପଣ୍ଡା) : ନୀଳଗିରି ଉପଖଣ୍ଡରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗୟାଧର ମଲିକଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ଅତିରିକ୍ତ ଜିଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଶୋକସଭାରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ଦୁଇମିନିଟ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ । ସ୍ୱର୍ଗତ ମଲ୍ଲିକ ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ଧରି ଜଟିଳ କିଡନୀ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ କିଡନୀ ପ୍ରତିରୋପଣ ପାଇଁ ତାଙ୍କୁ ନୂଆଦିଲୀ ଗୁରୁଗ୍ରାମ ହସପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡି ଯିବା ସହିତ ଅପରେସନ ପୂର୍ବରୁ ଅକ୍ଟୋବର ୨୩ତାରିଖ ପ୍ରାୟ ସାଢେ ୧୦ଘଟିକା ସମୟରେ ସେ ପ୍ରାଣ ହରାଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ମଲ୍ଲିକ ୧୯୬୨ମସିହାରେ ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ସାରୁଗଡା ଅଂଚଳରେ ଜନ୍ମଗ୍ରହଣ କରିଥିଲେ । ୧୯୮୯ ମସିହାରେ ସେ କଳାହାଣ୍ଡିରେ ଟ୍ରେନି ରିଜର୍ଭ ଅଫିସର ଭାବେ ସରକାରୀ ଚାକିରୀ ଆରମ୍ଭ କରିଥିଲେ । ଅକ୍ଟୋବର ୨୦୨୦ରୁ ସେ ନୀଳଗିରିରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟଭାର ତୁଲାଇ ଆସୁଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକବ୍ୟକ୍ତ କରାଯାଇଛି ।


