ପ୍ରଶାସନିକ ଅଧିକାରୀମାନେ ବିଚାର ପୂର୍ବକ ସ୍ୱଚ୍ଛତା ଅବଲମ୍ବନ କରିବା ଉଚିତ;ବିଜେପି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ନାମରେ ଦୁର୍ନିତି, ଭ୍ରଷ୍ଟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ କରିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ବାଦ ପଡୁଥିବାବେଳେ ଶାସକ ଦଳର ନେତୃତ୍ୱଙ୍କ ଜାଣତରେ ଆଦୌ ଗୃହ ନିର୍ମାଣ କରିନଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରଦାନ କରାଯାଉଥିବା ବିଜେପି ନେତା ବଦ୍ରୀନାରାୟଣ ଧଳ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେହିଭଳି ଗୋଚର, ଶ୍ମସାନ, ଗ୍ରାମ୍ୟ ଜଙ୍ଗଲ କିସମ ଉପରେ ଗୃହ ନିର୍ମାଣ କରାଯିବା ଓ ବିଶେଷ କରି ନପଙ୍ଗ ଗ୍ରାମ ପଞ୍ଚାୟତରେ କଚ୍ଚାଘର ସଂଖ୍ୟା ଠାରୁ ଅଧିକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିବା ଶ୍ରୀ ଧଳ ସାମ୍ବାଦିକ ମାନଙ୍କୁ କହିଥିଲେ । ଅନୁରୂପ ଭାବେ ପୁରୁଣାଘରକୁ ଦେଖାଇ ମିଥ୍ୟା ବିଲ ପ୍ରସ୍ତୁତ କରାଯାଉଥିବା ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ କହିଛନ୍ତି । ଦୁର୍ନିତିକୁ ବିଶେଷକରି ସରକାରୀ ବାବୁ ମାନେ ଅଧିକ ପ୍ରଶୟ ଦେଉଥିବାରୁ ପ୍ରଶାସନିକ ଅଧିକାରୀମାନେ ବିଚାରପୂର୍ବକ ସ୍ୱଚ୍ଛତା ଅବଲମ୍ବନ କରିବା ଉଚିତ ବୋଲି ଶ୍ରୀ ସେଠୀ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଆହୁରି ମଧ୍ୟ ନପଙ୍ଗ ପଞ୍ଚାୟତର ମୃତ ଲୋକଙ୍କ ନାମରେ ରାସନସାମଗ୍ରୀ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୃତ ଲୋକଙ୍କ ଜବକାର୍ଡକୁ ବ୍ୟବହାର କରାଯାଇ ଅର୍ଥ ଆତ୍ମସାତ, ଜାଲ ବ୍ୟାଙ୍କ ଖାତା ଖୋଲିବା, ସ୍ୱଚ୍ଛଭାରତରେ ଅନିୟମିତତା, ରାଜନୈତିକ ଆକ୍ରୋଶ ରଖି ପ୍ରକୃତ ବ୍ୟକ୍ତିକୁ ଭତ୍ତାରୁ ବଞ୍ଚିତ କରାଯାଉଥିବା ବିଜେପି ଅଭିଯୋଗ କରାଯାଇଛି । ତେଣୁ ଏଭଳି ବେଆଇନ କାର୍ଯ୍ୟ ବ୍ଲକ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଆସନ୍ତା ୧୯ତାରିଖ ଦିନ ବିଜେପି ପକ୍ଷରୁ ପର୍ଦ୍ଦାଫାସ ସମାବେଶ ଆୟୋଜନ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସରସଦା ପଞ୍ଚାୟତ ଏକଗୋଲା ଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସତ୍ୟବ୍ରତ ଦାସ, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ଯୁବନେତା ସୁରେଶ ସାମଲ, ବରିଷ୍ଠ ବିଜେପି ନେତା ନିର୍ମଳ କର, ପ୍ରକାଶ ମହାପାତ୍ର, ଶଶିଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।