ପ୍ରଶାସନିକ ଅବହେଳା ଭିତ୍ତିପ୍ରସ୍ଥରର ଦୁଇବର୍ଷ ପରେ ମଧ୍ୟ ନିର୍ମାଣ ହୋଇପାରୁନି କଲ୍ୟାଣ ମଣ୍ଡପ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ପ୍ରଶାସନିକ ବ୍ୟବସ୍ଥାର ଅବହେଳା ଯୋଗୁ ଅନେକ ସ୍ଥାନରେ କାର୍ଯ୍ୟ ଆରମ୍ଭ ହୋଇପାରୁନଥିବା ଅଭିଯୋଗ ହେଉଛି । ମିଳିଥିବା ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ କୁଲଣା ବିଶୋଳ ବାସୁଳାଇ ପଡିଆ ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଗତ ୨୦୧୮ମସିହାରେ ଭିତ୍ତିପ୍ରସ୍ଥର ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ଚିଠି ନଂ ୨୨୨୩୭ ତା୧୯-୧୧-୧୮ ଅନୁସାରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ନିର୍ଦ୍ଦେଶ ଥିଲା । ଏନେଇ କୁଲଣା ରାଜସ୍ୱ ଅଧିକାରୀ କ୍ଷତ୍ରୀୟ ଅନୁସନ୍ଧାନ କରିସାରିବା ପରେ ଉପଯୁକ୍ତ ଜାଗାରେ ମଣ୍ଡପ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିଥିଲେ । ପରେ ଭିତ୍ତିପ୍ରସ୍ଥର କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାବେଳେ ଏଥିରେ ଅତିଥିଭାବେ ପ୍ରାକ୍ତନ ସାଂସଦ ଅର୍ଜୁନ ଚରଣ ସେଠୀ, ବିଧାୟକ ପ୍ରଫୁଲ୍ଲ ସାମଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ପ୍ରାକ୍ତନ ବିଡିଓ ବନମାଳୀ ତରାଇ, ସରପଞ୍ଚ ସଂଗୀତା ଖଣ୍ଡାଇଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଗ୍ରାମ ପଞ୍ଚାୟତରେ କଲ୍ୟାଣମଣ୍ଡପ ନିର୍ମାଣ ନେଇ ଜନସାଧାରଣଙ୍କ ମଧ୍ୟ ଉତ୍ସାହ ଦେଖାଦେଇଥିବାବେଳେ ପରବର୍ତ୍ତି ସମୟରେ କିନ୍ତୁ ଉକ୍ତ ସ୍ଥାନରେ ଇଟା ଖଣ୍ଡିଏ ଯୋଡାଯାଇପାରିନଥିଲା । ପରିତାପର ବିଷୟ ଇତିମଧ୍ୟରେ ଭିତ୍ତିପ୍ରସ୍ଥର କାର୍ଯ୍ୟରେ ଯୋଗଦେଇଥିବା ଅତିଥି ମାନଙ୍କ ମଧ୍ୟରୁ ତତ୍କାଳୀନ ସାଂସଦ ଶ୍ରୀ ସେଠୀ ଓ ବିଡିଓ ଶ୍ରୀ ତରାଇ ସ୍ୱର୍ଗାରୋହଣ କରିସାରିଲେଣି । ନିର୍ମାଣକୁ ଅପେକ୍ଷା କରି ନାମଫଳକ ମଧ୍ୟ ମାଟିରେ ଲୋଟି ଗଲାଣି । ହେଲେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ଭଳି ମନେ ହେଉଛି । କାର୍ଯ୍ୟ ବିଳମ୍ବନେଇ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଖଣ୍ଡାଇଙ୍କ ମତାମତ ନେବାରୁ ସେ କୁହନ୍ତି ଏନେଇ ସରକାରଙ୍କ ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦୁଇ କିସ୍ତିରେ ୨୦ଲକ୍ଷଟଙ୍କା ଯୋଗାଯାଇଛି । ଯାହାକି ପଞ୍ଚାୟତ ଖାତାରେ ମହଜୁଦ ରହିଛି । ଭିତ୍ତିପ୍ରସ୍ଥର ପରଠାରୁ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରୁଥିଲେ ସୁଦ୍ଧା କେଉଁ କାରଣରୁ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ମୁଁ ବୁଝିପାରୁନାହିଁ ବୋଲି କହିଛନ୍ତି । ସେହିଭଳି ନୂତନକରି ଯୋଗଦେଇଥିବା ବିଡିଓ ବିଜୟ କୁମାର ସାହୁଙ୍କୁ ପଚାରିବାରୁ ସେ କଣ ହୋଇଛି ବୁଝିବେ ବୋଲି କହିଥିବାବେଳେ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ କୁହନ୍ତି ସରକାର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇଛନ୍ତି । କନିଷ୍ଠଯନ୍ତ୍ରୀଙ୍କୁ ନେଇ ଯଥାଶୀଘ୍ର କ୍ଷତ୍ରୀୟ ପରିଦର୍ଶନ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ । ସେ ଯାହାବି ହେଉ ଗ୍ରାମାଞ୍ଚଳରେ ଲୋକମାନଙ୍କର ସାମାଜିକ, ବୈଦିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟ ପାଇଁ ସରକାରଙ୍କ କଲ୍ୟାଣମଣ୍ଡପ ପରିକଳ୍ପନା ଏକ ଯଥାର୍ଥ ଥିବାବେଳେ ପ୍ରଶାସନିକ ଅବହେଳାରୁ ଏହା ପୂର୍ଣ୍ଣରୂପ ନେଇ ପାରୁନଥିବା ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି । ଏଥିପ୍ରତି ଜିଲ୍ଲାପାଳଙ୍କ ସମେତ ପଞ୍ଚାୟତରାଜ ବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ବୃଦ୍ଧିଜିବୀମାନେ ମତଦେଇଛନ୍ତି ।