ପ୍ରଶାସନ-ଗଣମାଧ୍ୟମର ଉତ୍ତମ ସମନ୍ୱୟରେ ନାଗରିକ ଅଧିକାର ସୁରକ୍ଷିତ : ଜିଲ୍ଲାପାଳ
ବାଲେଶ୍ୱର : ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ‘ଓୟୁଡବ୍ଲ୍ୟୁଜେ’, ବାଲେଶ୍ୱର ଶାଖାର ଚତୁର୍ଥ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରବେଶ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପ୍ରଶାସନିକ ବ୍ୟବସ୍ଥା ଓ ଗଣମାଧ୍ୟମର ଉତ୍ତମ ସମନ୍ୱୟ ସାଧାରଣ ଜନତାଙ୍କୁ ନ୍ୟାୟ ଦେବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ତେବେ ଗଣମାଧ୍ୟମର ସକାରାତ୍ମକ ତଥା ଗଠନମୂଳକ ସମ୍ବାଦ ହିଁ ନାଗରିକର ଅଧିକାର ସୁରକ୍ଷା ଦିଗରେ ସରକାରଙ୍କୁ ସଚେତନ କରାଇ ପାରିବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ । ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗଣମାଧ୍ୟମର ଅତୀତ ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତୀୟ ସମ୍ବିଧାନର ଅନ୍ୟ ୩ ସ୍ତମ୍ଭ ଭଳି ଅଘୋଷିତ ଚତୁର୍ଥ ସ୍ତମ୍ଭରେ କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ଏକାନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ । ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ କୋଟି କୋଟି ଟଙ୍କାର ସରକାରୀ ବିଜ୍ଞାପନ ଦିଆଯାଉଥିବା ବେଳେ ସାମ୍ବାଦିକମାନଙ୍କ ପାଇଁ ମଧ୍ୟ ପେନସନ ବ୍ୟବସ୍ଥା କରାଯିବା ଉଚିତ ବୋଲି ଶ୍ରୀ ଜେନା କହିଥିଲେ । ଅବଶ୍ୟ ଏନେଇ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥଇଲେ । ‘ଓୟୁଡବ୍ଲ୍ୟୁଜେ’ର ରାଜ୍ୟ ସଭାପତି ସୁଜ୍ଞାନୀ ଚୌଧୁରୀ ଏଥିରେ ବିଶେଷ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଗଣମାଧ୍ୟମର ଆଭିମୁଖ୍ୟ ଓ କାର୍ଯ୍ୟଧାରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ବିଟିସିସି ସମ୍ପାଦକ ନରେନ୍ଦ୍ର ବିହାରୀ ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣର୍ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ମିହିର ମହାପାତ୍ର, ଉବାଚକ ମହାନ୍ତି, ବ୍ରହ୍ମାନନ୍ଦ ସ୍ୱାଇଁ ପ୍ରମୁଖ ଏଥିରେ ସ୍ୱତନ୍ତ୍ର ବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଯୁବ ସାମ୍ବାଦିକ ରଣଜିତ୍ ପାକଳ, ବରିଷ୍ଠ ସାମ୍ବାଦିକ ବୋହିନ୍ ଚାନ୍ଦ, ଶ୍ରଦ୍ଧାଞ୍ଜଳି ରାୟ ଓ ବାସୁଦେବ ରାଉଳଙ୍କ ସମେତ କବି କମଳିନୀ କାସ୍ତ, ପରିବେଶବିତ୍ ଡକ୍ଟର ଅଶୋକ କୁମାର ପାଣିଗ୍ରାହୀ, ସାହିତ୍ୟିକ ଡକ୍ଟର ଭାଗବତ ପ୍ରସାଦ ଦାସ ଏବଂ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନର ଜିଲ୍ଲା ସଭାପତି ଉଜ୍ଜ୍ୱଳ ଚନ୍ଦ୍ର କର ଏହି ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ରବିରଂଜନ ଦାସ ବିବରଣୀ ପାଠ କରିଥିଲେ । ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଏଥିରେ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ । ସଂଗଠନର ବରିଷ୍ଠ କର୍ମକର୍ତ୍ତା ଶ୍ରଦ୍ଧାଞ୍ଜଳି ରାୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ନୃତ୍ୟ ସଙ୍ଗୀତ କଳାମନ୍ଦିର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ।


