ପ୍ରଶାସନ ନଗର ହେବ ଯାଜପୁର
ଯାଜପୁର , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁରକୁ ଓଡିଶାର ପ୍ରଥମ ପ୍ରଶାସନ ନଗର କରିବାକୁ ଅନୁମୋଦନ କରାଯାଇଛି । ଜିଲା ପ୍ରଶାସନର ୧୩୨କୋଟି ଟଙ୍କାର ପ୍ରସ୍ତାବକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନ ମିଳିଛି। ଏଥିପାଇଁ ରାଜସ୍ବ ବିଭାଗ ନିଜସ୍ବ ପାଣ୍ଠିରୁ ପ୍ରଥମ ପର୍ୟ୍ୟାୟରେ ୧୦୨ କୋଟି ଟଙ୍କା ଯୋଗାଇ ଦିଆଯିବ। ଯଦି ଆବଶ୍ୟକ ପଡେ ତେବେ ପରବର୍ତ୍ତୀ ପର୍ୟ୍ୟାୟରେ ଆବଶ୍ୟକ ଅର୍ଥ ଯୋଗାଇ ଦେବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ଜଣାଯାଇଛି।ଖୁବଶୀଘ୍ର ଉକ୍ତ ଅର୍ଥ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯିବ। ଉକ୍ତ ଅର୍ଥରେ ଜିଲାରେ ଏକ ନୂତନ ପ୍ରଶାସନ ନଗର ନିର୍ମାଣ କରାଯିବ। ତେବେ ସେହି ଅର୍ଥ ମଧ୍ୟରୁ ୩୨କୋଟି ଟଙ୍କା କେବଳ ଜମି ଅଧିଗ୍ରହଣ ପାଇଁ ରହିଛି। ପ୍ରଶାସନ ନଗର ପାଇଁ ଆବଶ୍ୟକ ପଡୁଥିବା ପ୍ରାୟ ୧୦ଏକର ଜମି ମଧ୍ୟରେ କେତେକ ଜମି ଘରୋଇ ଜମି ରହିଛି। ସେଠାରେ ଜିଲା ପ୍ରଶାସନ ଉକ୍ତ ଜମି କିଣିବ। ଅବଶିଷ୍ଟ ୭୦ କୋଟି ଟଙ୍କାରେ ପ୍ରଶାସନ ନଗର ଭିତ୍ତିଭୂମି ନିର୍ମାଣ କରାଯିବ। ତେବେ ରାଜସ୍ବ ବିଭାଗର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେଇଛି। ଯାଜପୁରରେ ବିପୁଳ ପରିମାଣର ଲଘୁ ଖଣିଜ ସମ୍ପଦ ଲୁଟ ହେଉଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାର ନାକେଦମ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ବ ବିଭାଗ କ’ଣ ପାଇଁ ଯାଜପୁରରେ ପ୍ରଶାସନ ନଗର ନିର୍ମାଣ କରିବାପାଇଁ ଅନୁମତି ଦେଲା, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


