ପ୍ରଶାସନ ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବତ ରଖିବା ଓ ସଂସ୍କୃତି ସହ ଉତ୍ତର ପିଢ଼ିକୁ ଯୋଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଜଲାସ୍ତରୀୟ ଡଙ୍ଗା ଭସାଣି ଉତ୍ସବ ପାଳିତ ହୋଇଛି । ଜିଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ କବିତୀର୍ଥ ସ୍ଥାନୀୟ ଶାନ୍ତିକାନନ ପରିସରରେ ଥିବା ଜଳାଶୟରେ ଏହି ଡଙ୍ଗାଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ଯୋଗଦେଇ ଶାନ୍ତିକାନନ ସ୍ଥିତ ଜଳାଶୟରେ ଡଙ୍ଗା ଭସାଇବା ସହ ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ । ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶ କ୍ରମେ ନୌବାଣିଜ୍ୟ କ୍ଷେତ୍ରରେ ଉତ୍କଳର ଗୌରବମୟ ଇତିହାସକୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳନ ହେଉଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଉପସ୍ଥିତ ଥିଲେ । କାର୍ତ୍ତିକ ପୂର୍ଣ୍ଣମାରେ ଚନ୍ଦ୍ରଗ୍ରହଣ ପଡିଥିବାରୁ ସୂର୍ଯ୍ୟୋଦୟ ପୂର୍ବରୁ ଏହି ଉତ୍ସବ ପାଳନ କରାଯାଇଥିଲା । ପ୍ରଶାସନର ଏତାଦୃଶ କାର୍ଯ୍ୟଦେଖି ଶାନ୍ତିକାନନର ଆଖପାଖ ଅଞ୍ଚଳରୁ କିଛି କିଛି ଲୋକ ଆସି ଡଙ୍ଗ ଭସାଇଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସେଠାରେ ସଂକୀର୍ତ୍ତନ ଦଳର ବ୍ୟବସ୍ଥା କରାଯାଇଥିଲା । ହରିନାମ କୀର୍ତ୍ତନରେ ଶାନ୍ତିକାନନ ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଜିଲା ସଂସ୍କୃତି ଅଧିକାରୀ ଆଶିଷ କୁମାର ସାହୁ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ