ପ୍ରଶାସନ ହସ୍ତକ୍ଷେପ ପରେ ତୁଟିଲା ଆଇଓସିଏଲ ପଣ୍ୟ ପରିବହନ ବିବାଦ
ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ପାରାଦୀପରେ ପଣ୍ୟ ପରିବହନରେ ବିବାଦ କୁ ନେଇ ଅସନ୍ତୋଷ ଲାଗି ରହୁଛି l ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଆଇଓସିଏଲ ତୈଳ ବିଶୋଧନାଗାର ରୁ ସେଣ୍ଟ କଟାଲିଷ୍ଟ (ହଜାର୍ଡସ ମେଟେରିଆଲ) ପଣ୍ୟ ପରିବହନ କୁ ନେଇ l ଏହାକୁ ନେଇ ଅଭୟଚାନ୍ଦପୁର ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ ଏହି ପଣ୍ୟ ନେବା ପାଇଁ ସନ ଇକୋ ସର୍ଭିସେସ ସହ ପ୍ରଥମେ ଅମ୍ବୁଜା ସିମେଣ୍ଟ ଚୁକ୍ତି କରିଥିଲା l ଗତ ଜୁଲାଇ ୨୫ ରେ ଉକ୍ତ ସଂସ୍ତାର ୩ ଟି ଟ୍ରକ କୁ ଜିରୋ ପଏଣ୍ଟ ନିକଟରେ ଟ୍ରକ ସଙ୍ଘ ର କିଛି କର୍ମକର୍ତ୍ତା ଅଟକ ରଖିଥିଲେ l ସନ ଇକୋ ସର୍ଭିସେସ ସଂସ୍ଥା ଅଭିଯୋଗ ମୁତାବକ, ତିନୋଟି ଟ୍ରକ ଆସୋସିଏସନ ର ଜଏଣ୍ଟ କୋଅର୍ଡିନେସନ କମିଟି (ଜେସିସି) କିଛି କର୍ମକର୍ତ୍ତା ମାନେ ତାଙ୍କୁ ଜବରଦସ୍ତ ଲକ୍ଷେ ଟଙ୍କା ଚାନ୍ଦା ଦେବା ସହ ଏହି ପରିବହନ କାର୍ଯ୍ୟ ନକରିବାକୁ ଅମ୍ବୁଜା ସିମେଣ୍ଟ କୁ ମେଲ ଦେବା ପାଇଁ କହିଥିଲେ l ଦୀର୍ଘ ୧୫ ଦିନ ଧରି ଟ୍ରକ ଗୁଡିକ ଅଟକ ରହିବା ପରେ ବାଧ୍ୟ ହୋଇ ଇକୋ ସର୍ଭିସେସ ଜେସିସି ର ଧମକ ଅନୁସାରେ ଏଥିରୁ ଓହରି ଯାଇଥିଲେ l ଅନ୍ୟପକ୍ଷରେ ଏହି ସିମେଣ୍ଟ କମ୍ପାନୀ କୁ ଏଚଆଣ୍ଡଜେ ପରିବହନ ସଂସ୍ଥା ଦୀର୍ଘ ଦିନ ହେବ ଜିପସମ ଯୋଗାଇ ଆସୁଥିବାରୁ ଆଇଓସିଏଲ ର ଏହି କଞ୍ଚା ମାଲ ପରିବହନ ପାଇଁ ଅମ୍ବୁଜା ସିମେଣ୍ଟ କମ୍ପାନୀ ଉକ୍ତ ସଂସ୍ଥା ସହ ଯୋଗାଯୋଗ କରି ପରିବହନ ଦାୟିତ୍ୱ ଦେଇଥିଲେ l ଏହି ପରିବହନ ସଂସ୍ତାର ମୁଖ୍ୟ ପ୍ରତ୍ୟୁଷ ତ୍ରିପାଠୀ ଙ୍କ ସୂଚନା ଅନୁଯାଇ ଆଇଓସିଏଲ ରୁ ପଣ୍ୟ ପରିବହନ ପାଇଁ ଟ୍ରକ ଗୁଡିକୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ପ୍ରମାଣପତ୍ର ନିତ୍ୟାନ୍ତ ଆବଶ୍ୟକ l ତେବେ ପ୍ରଥମେ ଏହି ମାଲ ପରିବହନ ପାଇଁ ସେ ଜେସିସି କୁ ଟ୍ରକ ଯୋଗାଇବା ପାଇଁ ଆଲୋଚନା କରିଥିଲେ l ତେବେ ଗାଡି ମାନଙ୍କର ଆବଶ୍ୟକୀୟ ଯୋଗ୍ୟତା ବା ପ୍ରଦୂଷଣ ପ୍ରମାଣପତ୍ର ଅଭାବରୁ ଜେସିସି ଟ୍ରକ ଯୋଗାଇ ପାରିନଥିଲେ l ଶେଷରେ ବାଧ୍ୟ ହୋଇ ମାଲ ପରିବହନ ପାଇଁ ସେ ବାହାରରୁ ଟ୍ରକ ଆଣିଥିଲେ l ତେବେ ପୂର୍ବପରି ଏଚଆଣ୍ଡଜେ ଗାଡି ଗୁଡିକୁ ଜେସିସି ର କର୍ମକର୍ତ୍ତା ମାନେ ବେଆଇନ ଭାବେ ଅଟକ ରଖିବାରୁ ଏହି ସଂସ୍ଥା ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିଲା l ସୂଚନାଥାଉକି ଗତ ବର୍ଷକ ପୂର୍ବେ ଏହି ମାମଲାର ବିଚାର କରି ହାଇକୋର୍ଟ ଜିଲ୍ଲା ଏସପି ଓ ଜିଲ୍ଲା କଲେକ୍ଟର ଙ୍କୁ ଏହି ସଂସ୍ଥାର ପରିବହନ କୁ ତୁରନ୍ତ ସ୍ୱାଭାବିକ କରିବାକୁ ନିର୍ଦେଶ ଦେଇଥିଲେ l ତେବେ ପୁନର୍ବାର ଜେସିସି ଦ୍ୱାରା ଏହି ଗାଡି ଗୁଡିକୁ ଅଟକ ରଖିବାରୁ ପରିବହନ ସଂସ୍ଥାର ମୁଖ୍ୟ ପ୍ରତ୍ୟୁଷ ତ୍ରିପାଠୀ ଘଟଣାର ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ଥାନାରେ ଅଭିଯୋଗ କରିଥିଲେ l ପରେ ଥାନାରେ ଜେସିସି କର୍ମକର୍ତ୍ତା, ଏଚଆଣ୍ଡଜେ ଓ ସନ ଇକୋ ସର୍ଭିସେସ କୁ ନେଇ ଆଲୋଚନା କରାଯିବା ପରେ ଜେସିସି ଭବିଷ୍ୟତରେ ଏଚଆଣ୍ଡଜେ ଟ୍ରେଡ଼ର୍ସ ର କୌଣସି ଗାଡ଼ିକି ଅଟକାଇବେ ନାହିଁ ବୋଲି ଥାନାରେ ଲିଖିତ ଆକାରରେ ପ୍ରତିଶୃତି ଦେଇଥିବାର ସୂଚନା ମିଳିଛି ଏବଂ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡିଛି l ତେବେ ଜେସିସି ର ସମସ୍ତ ସଭ୍ୟ ମାନଙ୍କୁ ଅନ୍ଧାରରେ ରଖି କିଛି ହାତଗଣତି କର୍ମକର୍ତ୍ତା ବାରମ୍ବାର ଏପରି ବେଆଇନ କାର୍ଯ୍ୟ କରି ଜେସିସି ସଙ୍ଘ କୁ ବଦନାମ କରୁଥିବା ନେଇ ଚର୍ଚ୍ଚା ହେଉଛି l ଅନ୍ୟପକ୍ଷରେ ପାରାଦୀପରେ ବିଭିନ୍ନ ପଣ୍ୟ ପରିବହନ କୁ ନେଇ ଟ୍ରକ ସଙ୍ଘ ଗୁଡିକର ଅଧିକ ଭଡା ଦାବୀ ଓ ମନମାନି ଅଭିଯୋଗ କରି ବହୁ ପରିବହନ ସଂସ୍ଥା ଟ୍ରେନ ଓ ଜଳପଥରେ ପଣ୍ୟ ପରିବହନ କୁ ଶ୍ରେୟ ମଣୁଛନ୍ତି l ଯାହାର ନକାରାତ୍ମକ ପ୍ରଭାବ ଏବେ ସ୍ଥାନୀୟ ଟ୍ରକ ପରିବହନ ଉପରେ ପଡିଥିବାର ଆଲୋଚନା ହେଉଛି l