ପ୍ରସଙ୍ଗ ବିହୀନ ନିର୍ବାଚନ
ସୋରଡା,(ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି। ଏହି ଅବସରରେ ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ସୋରଡା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସରିଛି। ସୋରଡା ପୋଲିସର କଡା ସୁରକ୍ଷା ଯୋଗୁଁ ନିର୍ବାଚନ ସମୟ ରେ କୌଣସି ଅଘଟଣ ଦେଖିବାକୁ ମିଳିନି। ଦଳୀୟ ପ୍ରାର୍ଥୀ ନିର୍ବାଚନ ମଇଦାନ ରେ ଅଂଶ ଗ୍ରହଣ କରିଲେ। ଏବେ କିନ୍ତୁ ବୁଦ୍ଧି ଜୀବି ମହଲ ରେ ଆଲୋଚନା ଚାଲିଛି ଏହି ନିର୍ବାଚନ କଣ ପ୍ରସଙ୍ଗ ଭିତିକ ଥିଲା ? ବିଜେଡିରୁ ଭୈରବ କାର୍ତ୍ତିକେୟନ ପାଣ୍ଡିୟାନ ସଭା କରିଲେ ଏବଂ ବିଜେପିକୁ ଟାର୍ଗେଟ କରିବା ସହ ବିଜେପି ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବକୁ ଆକ୍ଷେପ କରିଥିଲେ। ସେହିପରି ବିଜେପିର ଗୃହ ମନ୍ତ୍ରୀ ଅମିତ ସାହ ଆସିଲେ ସୋରଡାରେ ସଭା କରିଲେ ଏବଂ ବହୁ ଗୁରୁତ୍ଵ ପୂର୍ଣ ପ୍ରସଙ୍ଗ ଉପରେ ତଥ୍ୟ ରଖିଲେ। କଂଗ୍ରେସର ହରିକୃଷ୍ଣ ରଥଙ୍କ ପାଇଁ କିନ୍ତୁ କେହି ଷ୍ଟାର ପ୍ରଚାରକ ଆସିନଥିଲେ। ଏ ସବୁ ମଧ୍ୟରେ ସରିଗଲା ନିର୍ବାଚନ। କେନ୍ଦ୍ରୀୟ ନେତୃତ୍ଵ ଓ ରାଜ୍ୟ ନେତୃତ୍ଵକୁ ଛାଡିଦେଲେ ନିଜେ ପ୍ରାର୍ଥୀ ମାନେ କିନ୍ତୁ ପ୍ରସଙ୍ଗ ଭିତିକ ନିର୍ବାଚନ ଲଢିବାରେ ବିଫଳ ହୋଇଥିଲେ। ବିଜେଡି ତରଫରୁ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ନିଜ ପତ୍ନୀ ବିଜେଡି ପ୍ରାର୍ଥୀ ସଙ୍ଘମିତ୍ରା ସ୍ଵାଇଁଙ୍କ ପାଇଁ ଭୋଟ ମାଗିବା ବେଳେ ଲଗାତର ନୀଳମଣି ବିଶୋଈଙ୍କ ବ୍ୟକ୍ତିତ୍ବକୁ ବାରମ୍ବାର ଟାର୍ଗେଟ କରି ନିର୍ବାଚନ ଲଢିଥିଲେ , ସେହି ପରି ବିଜେପି ପ୍ରାର୍ଥୀ ନୀଳମଣି ବିଶୋଈ ଗତ ୧୫ ବର୍ଷରେ କଣ ବିକାଶ ହୋଇଛି ବୋଲି ଭୋଟରଙ୍କୁ ପ୍ରଶ୍ନ କରିବା ସହ ପାନୀୟ ଜଳ ଓ ରାସ୍ତା ଘାଟ ଉପରେ ଗୁରୁତ୍ଵ ଦେଇ ବ୍ଲକରେ ବହୁ ଦୁର୍ନୀତି ହୋଇଥିବା ଲୋକଙ୍କୁ କହିଥିଲେ। ଏହିପରି ଏକେ ପ୍ରସଙ୍ଗ ବିହୀନ ନିର୍ବାଚନକୁ ନେଇ କିନ୍ତୁ ବୁଦ୍ଧିଜୀବୀ ନିରାଶା ପ୍ରକଟ କରିଛନ୍ତି। ପ୍ରତେକ ନିର୍ବାଚନ ଆସିଲେ ପ୍ରାର୍ଥୀ ମାନେ କଣ ନୂଆ ଯୋଜନା ନେଇ ଆସୁଛନ୍ତି ଏବଂ ଲୋକଙ୍କ ଅସୁବିଧାକୁ ସମାଧାନ କରିବା ପାଇଁ ସରକାରୀ ସ୍ତରରେ କଣ ପ୍ରକ୍ରିୟା ଗ୍ରହଣ କରୁଛନ୍ତି ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଥାଏ ତେଣୁ ସବୁ ସଭାରେ ବହୁ ପରିମାଣରେ ଲୋକେ ଜମା ହୋଇ ପ୍ରାର୍ଥୀଙ୍କ ଭାଷଣ ଶୁଣୁଥାନ୍ତି। ବର୍ତମାନ ନିର୍ବାଚନ କିନ୍ତୁ ବହୁ ଅଲଗା। କିଏ କାହାକୁ ଦାଗୀ କହିଲା ଆଉ କିଏ କାହାକୁ ଗୁଣ୍ଡା କହିଲା,କିଏ କାହାକୁ ହତ୍ୟାରା କହିଲା ଆଉ କିଏ କାହାକୁ ମଫିଆ କହିଲା,କିଏ କହିଲା ତମେ ଖୁଣ୍ଟି ପୋତା ନେତା ଆଉ କିଏ କହିଲା ଏଜାକ ସବୁ ନାଟକ କରୁଛନ୍ତି, ଏମାନଙ୍କ କୁଆଡେ କିଛି ନାହିଂ । ଏପରିକି ସୋସିଆଲ ମିଡିଆରୁ ଆରମ୍ଭ କରି ନେତାଙ୍କ ମାଇକରେ ମଧ୍ୟ ଏହିପରି ଶବ୍ଦ ହିଁ ଶୁଣିବାକୁ ମିଳିଥିଲା। ଏପରିକି ବିଜେଡିର ବଡ ବଡ ନେତା ମଧ୍ୟ ଏହି ପରି ଆଚରଣ କରିବାକୁ ପଛଘୁଞ୍ଚା ଦେଇନଥିଲେ। ଶେଷ ରେ ୨୦୧୨ ମସିହାର ଏକ ସାମୁହିକ ଉତେଜନାକୁ ବିଜେଡି ଭୋଟ ବେଙ୍କର ଅସ୍ତ୍ର କରିଥିଲା। ଜଣେ ବ୍ୟବସାୟୀଙ୍କୁ ସେହି ସମୟ ରେ କାର୍ଯ୍ୟରତ ଜଣେ ଥାନା ଅଧିକାରୀ ମାଡ ମାରିବା ଯୋଗୁଁ ପ୍ରତିବାଦ କରି ସମସ୍ତ ବ୍ୟବସାୟୀ ସଂଘ ଦୋକାନ ବଜାର ବନ୍ଦ ରଖିଥିଲେ ଏବଂ ୩ଦିନ ଯାଏଁ ଦୋକାନ ବନ୍ଦ ହେବା ଯୋଗୁଁ ଅତିଆବଶ୍ୟକ ସାମଗ୍ରୀ ମଧ୍ୟ ମିଳିନଥିଲା ଏପରିକି ଔଷଧ ବ୍ୟବସାୟୀ ମାନେ ମଧ୍ୟ ଔଷଧ ଦେବା ପାଇଁ ମନା କରିଦେଇଥିଲେ ଫଳରେ ସହର ମଧ୍ୟରେ ଉତେଜନା ଦେଖାଦେଇଥିଲା ଏବଂ ସହରବାସୀ ଜବରଦସ୍ତ ଦୋକାନ ଖୋଲିଦେଇଥିଲେ । ଏହା ବିରୋଧୀ ବିଜେପିର କାମ ବୋଲି ବିଜେଡି ନିର୍ବାଚନରେ ପ୍ରଚାର କରିଥିଲା କିନ୍ତୁ ପ୍ରମୁଖ କଥା ହେଲା ନିଜ ଦଳର ବିଧାୟକ କିନ୍ତୁ ଏହାକୁ ସମାଧାନ କରିବା ପାଇଁ ପ୍ରଚେଷ୍ଟା କରିନଥିଲେ ବୋଲି ବିଜେପି ଯୁକ୍ତି ବାଢିଥିଲା। ଏବଂ ଏହି ସମୟ ରେ ବିଜେପିର ଯୁବ ନେତା ସ୍ଵାଧୀନ ପଣ୍ଡା ବ୍ୟବସାୟୀଙ୍କ ସପକ୍ଷରେ ଠିଆ ହୋଇଥିଲେ। ପ୍ରକୃତରେ ଦେଖିବାକୁ ଗଲେ ଏବେ କିନ୍ତୁ ନିର୍ବାଚନ ବ୍ୟକ୍ତିଗତ ଆକ୍ଷେପ ରେ ପରିଣତ ହୋଇଗଲନି। ଆଉ କିଛି ପ୍ରସଙ୍ଗ ଭିତିକ ନିର୍ବାଚନ ଦେଖିବାକୁ ମିଳୁନି। ନୂଆ ନୂଆ ଯୋଜନା କିଛି ଲୋକଙ୍କୁ ଉପସ୍ଥାପନ କରିପାରୁନାହାନ୍ତି ପ୍ରତିନିଧି। ସବୁ ନେତା ଏବେ ରାଜନୀତିକୁ ବ୍ୟକ୍ତିଗତ ଭାବେ ଗ୍ରହଣ କରିବାରେ ଲାଗିଲେଣି। ଏହା ଏକ ଲାଭଜନକ ପଦବୀ ତେଣୁ ଏଠାରେ କ୍ଷମତାରେ ରହିଲେ ଯେ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରିଲେ କିଛି ଆପତି ନାହିଂ। ପରିଣାମ ସ୍ୱରୂପ ବର୍ତମାନ ନିର୍ବାଚନ କୋଟି କୋଟି ଟଙ୍କାର ଖେଳ। ପ୍ରସଙ୍ଗ ଠାରୁ ଅଧିକ ଟଙ୍କା, ମଦ, ମାଂସ, ଲୁଗା ଓ ଅସମାଜିକ କାର୍ଯ୍ୟ। କଣ ଏହା ଏକ ଉନ୍ନତ ଗଣତନ୍ତ୍ର ଗଠନ ର ସର୍ବଶ୍ରେଷ୍ଠ ମାଧ୍ୟମ ହୋଇପାରିବ? ଯେଉଁମାନେ ବାହୁ ବଳି, କୋଟି କୋଟି ଟଙ୍କାର ମାଲିକ, ଆଉ ଯେଉଁ ମାନେ ପ୍ରତିପତି ଶାଳି ସେହିମାନଙ୍କ ପାଇଁ ନିର୍ବାଚନ ଆଉ ଏହି ନିର୍ବାଚନ ରେ କେଉଁଠି ନା କେଉଁଠି ହଜି ଗଲାଣି ସାଧାରଣ ନାଗରିକଙ୍କ ଆବଶ୍ୟକତା ଓ ପ୍ରାସଙ୍ଗିକତା। କେବଳ ବାହୁବଳି ଓ ଅର୍ଥବଳ ଥିବା ନେତାଙ୍କ ହାତରେ ବନ୍ଧା ପଡିଛି ଆଜିର ପ୍ରସଙ୍ଗ ବିହୀନ ଗଣତନ୍ତ୍ର। ଏମିତି ନେତା ଆଜି ଆମେ ଚୟନ କରୁଚେ ଯେଉଁମାନଙ୍କ ପାଖରେ ନିର୍ବାଚନୀ ପ୍ରସଙ୍ଗ ନଥାଏ କେବଳ ବ୍ୟତିଗତ ଆକ୍ଷେପ ଓ ଟଙ୍କାର ବନ୍ୟାରେ ନିର୍ବାଚନୀ ବୈତରଣୀ ପାର ହେବାର ଲକ୍ଷଥାଏ। ଏତିକି ମଧ୍ୟରେ କିନ୍ତୁ ସୋରଡା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଜେପି ତରଫରୁ ଏକ ପ୍ରସଙ୍ଗ ସଂକଲ୍ପ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଯାହା ସବୁବର୍ଗର ଲୋକଙ୍କ ମଧ୍ୟରେ ପ୍ରଶଂସିତ ହୋଇପାରିଥିଲା।