ପ୍ରସିଦ୍ଧ ଗଜାମୁହାଁ ଘଟ ପର୍ବ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପବିତ୍ର ଚୈତ୍ର ମଙ୍ଗଳବାର ଅବସରରେ ଗଜାମୁହାଁ ଘଟ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥି ଯୋଗୁଁ ସହର ଚଳଚଞ୍ଚଳ ଦେଖାଦେଇଥିବା ବେଳେ ରାତ୍ର ତମାମ ଗଜାମୁହାଁ ଘଟ ପର୍ବ ଲାଗି ମଧ୍ୟ ଚଳଚଞ୍ଚଳ ରହିଥିଲା । ସୂଚନା ଯୋଗ୍ୟ ଯେ, ପ୍ରତି ବର୍ଷ ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାର ଅବସରରରେ ସହରର ବିଭିନ୍ନ ସାହିରେ ଗଜାମୁହାଁ ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ଗଜାମୁହାଁ ଘଟ ପର୍ବ କେବଳ ପାରଳାରେ ନୁହଁ ସମଗ୍ର ରାଜ୍ୟରେ ଏହା ପ୍ରଖ୍ୟାତି ଲାଭ କରିପାରିଛି । ଏହି ପାରଳାର ଗଜାମୁହାଁ ପର୍ବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ଅବସରରେ ସରକାର ତଥା ବେସରକାରୀ ସାଂସ୍କୃତିକ ପର୍ବପର୍ବାଣୀ କାର୍ଯ୍ୟକ୍ରମ ଗୁଡିକରେ ସ୍ୱତନ୍ତ୍ର ଉପସ୍ଥାପନା କରାଯାଇଥିବାର ବହୁ ନଜିର ରହିଛି । ଏହି ଗଜାମୁହାଁ ଲିଆ ଓ ଗୁଡକୁ ମିଶାଇ ଗଜା ଆକାରରେ ପ୍ରସ୍ତୁତ କରାଯାଇଥାଏ । ଏହାପରେ ଏହାର ସମ୍ମୁଖ ଭାଗରେ ବିଭିନ୍ନ ଚିତାକର୍ଷକ ତଥା ମା ଠାକୁରାଣୀଙ୍କ ବିଭିନ୍ନ ପ୍ରକାରର ଚିତ୍ରକଳାରେ ସାଜ ସଜା କରାଯାଇଥାଏ । ଏହାପରେ ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିବା ଉଦେଶ୍ୟରେ ରାତିତମାମ ନିଜ ନିଜ ମୁଣ୍ଡ ଉପରେ ଗଜାମୁହାଁକୁ ରଖି ନୃତ୍ୟଗୀତ ପରିବେଶଣ କରି ତହିଁ ପରଦିନ ଅର୍ଥାତ ବୁଧବାର ସକାଳୁ ସକାଳୁ ସମୟରେ ବିଭିନ୍ନ ଠାକୁରାଣୀ ମନ୍ଦିରକୁ ଯାଇ ବିସର୍ଜନ କରିଥାନ୍ତି । ରଖି ପବିତ୍ର ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାରରେ ବିଭିନ୍ନ ମାନସିକଧାରୀ ମାନେ ଦିନ ତମାମ ଘଟପର୍ବ ପରିକ୍ରମା, ଭକ୍ତ ବା ଶ୍ରଦ୍ଧାଳୁମାନେ ବିଭିନ୍ନ ଶକ୍ତିପୀଠ ତଥା ଠାକୁରାଣୀ ମନ୍ଦିରକୁ ଯାତାୟତ କରିବା ଆଦିରେ ସମଗ୍ର ସହରରେ ଚଳଚଞ୍ଚଳମୟ ଦେଖା ଦେଇଥିଲା । ସେହିଭଳି ମଧ୍ୟାହ୍ନ ସମୟରେ ବିଭିନ୍ନ ଠାକୁରାଣୀ ମନ୍ଦିରରେ ପ୍ରସାଦ ସେବନର ଆୟୋଜନ କରାଯାଇଥବାର ଦେଖିବାକୁ ମିଳିଥିଲା । ବିଶେଷ କରି ସହରର ଅଙ୍କସାହି ଠାରେ ଥିବା ମାଁ ମାଣୀକେଶ୍ୱରୀ ମନ୍ଦିର, କଲେଜ ରୋଡ ସ୍ଥିତ ନୀଳାମାଁ ଠାକୁରାଣୀ ମନ୍ଦିର, ବସ୍‌ଷ୍ଟାଣ୍ଡ ରୋଡ ସ୍ଥିତ ମାଁ ମୁତ୍ୟାଲୁମା ମନ୍ଦିର, ବିଶ୍ୱନାଥ ନଗର ସ୍ଥିତ ମକ୍କାତୋଟାମ୍ମା ଠାକୁରାଣୀ ମନ୍ଦିର ଆଦି ପ୍ରମୁଖ ମନ୍ଦିର ଗୁଡିକୁ ମାନସିକଧାରୀ ମାନେ ଘଟପର୍ବ ପରିକ୍ରମାକରି ମନ୍ଦିରକୁ ଯାଇ ବିସର୍ଜନ କରିଥିଲେ । ସେହିପରି ରାତ୍ର ସମୟରେ ବିଭିନ୍ନ ସାହି ତରଫରୁ ଗଜାମୁହାଁ ପର୍ବ ନଗର ପରିକ୍ରମା କରିଥିବାର ଦେଖିବାକୁ ମିଳିଥିଲା । ସ୍ମରଣ ଯୋଗ୍ୟ ଯେ, ଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ଏହି ପର୍ବ ଉପରେ ରୋକ ଲଗାଯାଇଥିଲା । ବର୍ତ୍ତମାନ କଟକଣା ହଟିଯାଇଥିବାରୁ ମାନସିକଧାରୀ ତଥା ଭକ୍ତ ବା ଶ୍ରଦ୍ଧାଳୁ ହର୍ଷଉଲ୍ଲାସରେ ଏହି ପବିତ୍ର ଚୈତ୍ର ମଙ୍ଗଳବାର ତଥା ଗଜାମୁହାଁ ପର୍ବ ପାଳନ କରୁଥିବାର ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ