ପ୍ରସିଦ୍ଧ ମହେନ୍ଦ୍ରଗିରି ପ୍ରବେଶ ପଥ ସିଲ୍
ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା):ସାରା ବିଶ୍ୱରେ କରୋନା ଆତଙ୍କ ନେଇ ଉଦବେଗ ପ୍ରକାଶ ପାଇବା ସହ ଭାରତ ସାରା ଲକଡାଉନ୍ ଯାରି ହୋଇଛି । ଏପରି ସ୍ଥଳେ ଗଜପତି ଜିଲ୍ଲାରେ ଥିବା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିକୁ ଆନ୍ଧ୍ର ଓ ଗଞ୍ଜାମ ଜିଲ୍ଲାର ବହୁ ଲୋକେ ବିଭିନ୍ନ ଭାବେ ଅନାଧିକାର ପ୍ରବେଶ କରୁଥିବା ଅଭିଯୋଗରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଧେଶ କ୍ରମେ ଗତକାଲି ବୁଧବାର ଅପରାହ୍ନ ଠାରୁ ମହେନ୍ଦ୍ରଗିରି ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି । ଉଲ୍ଲେଖ ଯୋଗ୍ୟ ଯେ,ମହେନ୍ଦ୍ରଗିରି ପାଦଦେଶରୁ ମହେନ୍ଦ୍ରଗିରି ଶିଖରକୁ ଯିବା ପାଇଁ ରାସ୍ତା ନାହିଁ । ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମହେନ୍ଦ୍ରଗିରିର ଉନ୍ନତି ଓ ପର୍ଯ୍ୟଟକଙ୍କୁ ନିତିଦିନିଆ ରାସ୍ତାର ସୁବିଧା ଦେବା ପାଇଁ ମହେନ୍ଦ୍ରଗିରି ପାଦଦେଶର ବୁରୁଖତ ଠାରୁ ମହେନ୍ଦ୍ରଗିରି ଶିଖର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପାହାଡକୁ କାଟି ସମତଳ କରି ମାଟି ରାସ୍ତା ନିର୍ମାଣ ଚାଲିଛି । ଏହାର ସୁଯୋଗରେ ଗଜପତି ଜିଲ୍ଲାର ପଡୋଶୀ ଗଞ୍ଜାମ ଜିଲ୍ଲା ଏବଂ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରୁ ବହୁ ଲୋକ ମହେନ୍ଦ୍ରଗିରି ଭ୍ରମଣ ଏବଂ ବଣ ଭୋଜି ଆଦି ନେଇ ଅନାଧିକାର ଭାବେ ପ୍ରବେଶ କରୁଥିବା ମହେନ୍ଦ୍ରଗିରି ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ମାନଙ୍କ ଅଭିଯୋଗ ଗଜପତି ଜିଲ୍ଲାପାଳଙ୍କ ଠାରେ ପହଞ୍ଚିଥିଲା । କରୋନା ଆତଙ୍କରେ ସବୁକିଛି ବନ୍ଦ ଥିବାବେଳେ ଏଭଳି ଅନାଧିକାର ପ୍ରବେଶକୁ ଦୃଷ୍ଟିରେ ରଖି ଗଜୁପତି ଜିଲ୍ଲାପାଳ ଅନୁପମ ଶାହା ତୁରନ୍ତ ମହେନ୍ଦ୍ରଗିରି ପ୍ରବେଶ ପଥକୁ ସିଲ୍ କରିବା ପାଇଁ ବନ ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ । ବନ ବିଭାଗର ଏସିଏଫଓ ଗୌରୀ ପ୍ରସାଦ ରଥ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଧେଶ କ୍ରମେ ମହେନ୍ଦ୍ରଗିରି ପ୍ରବେଶ ପଥରେ ତାର ବାଡ ଦେଇ ପ୍ରବେଶ ପଥକୁ ଗତକାଲି ଅପରାହ୍ନ ଠାରୁ ସିଲ୍ କରିଥିବା ସୁଚନା ମିଳିଛି । ଏଥିସହ ବନ ବିଭାଗ କର୍ମଚାରୀ ସେଠାରେ ଉପସ୍ଥିତ ରହି ଯେପରି କୌଣସି ବ୍ୟକ୍ତି ମହେନ୍ଦ୍ରଗିରିକୁ ଅନାଧିକାର ପ୍ରବେଶ କରିପାରିବେ ନାହିଁ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାିଥିବା ଜଣାଯାଇଛି ।


