ପ୍ରସ୍ତାବିତ ଧର୍ମଘଟରୁ ଓହରିଲେ ଡାକ୍ତର, ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ : ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ତର ହର୍ଷବର୍ଦ୍ଧନ ବୁଧବାର ଚିକିତ୍ସକ ଏବଂ ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ)ର ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି । ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ କରୋନା ବିରୋଧୀ ଲଢେଇରେ ଡାକ୍ତରମାନଙ୍କ ଭୂମିକାର ଉଚ୍ଚ ପ୍ରଶଂସା କରିବା ସହ ଲୋକଙ୍କୁ ନିରାପଦ ରଖିବା ପାଇଁ ସେମାନେ ଯେଉଁ ତ୍ୟାଗ ସ୍ୱୀକାର କରୁଛନ୍ତି ତାହାର ପଟାନ୍ତର ନାହିଁ ବୋଲି କହିଥିଲେ । କରୋନା ଲଢେଇର ଏହି ପ୍ରମୁଖ ଯୋଦ୍ଧା ଚିକିତ୍ସକମାନଙ୍କ ଉପରେ ଯେଉଁ ଆକ୍ରମଣ ହେଉଛି ତାହାକୁ ଦୃଢ ହସ୍ତରେ ଦମନ କରିବା ସହ ଚିକିତ୍ସାଗତ ସବୁ ଡାକ୍ତରଙ୍କୁ ସମସ୍ତ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦିଆଯିବ ବୋଲି ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏନେଇ ଦୃଢ ପ୍ରତିଶ୍ରୃତି ଦେଇଥିଲେ । ସେ କହିଥିଲେ ଚିକିତ୍ସକମାନଙ୍କ ସୁରକ୍ଷା କ୍ଷେତ୍ରରେ ମୋଦୀ ସରକାର କୌଣସି ତ୍ରୁଟି ରଖିବେ ନାହିଁ ଏବଂ ଚିକିତ୍ସକ ଓ ଚିକିତ୍ସା କର୍ମଚାରୀଙ୍କ ଉପରେ ନିକଟରେ ହୋଇଥିବା ଆକ୍ରମଣ ଘଟଣା ଉପରେ ପ୍ରଧାନମନ୍ତ୍ରୀଙ୍କର ନଜର ରହିଛି । ଏହି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥି ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି । ଦେଶ ଓ ବିଶ୍ୱ ଭିତରେ ଏହି ଘଟଣାକୁ ନେଇ ଚିକିତ୍ସକମାନେ କୌଣସି ପ୍ରକାର ପ୍ରତୀକାତ୍ମକ ପ୍ରତିବାଦ ନ କରିବାକୁ ନିବେଦନ କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିଶ୍ରୃତି ତଥା କେନ୍ଦ୍ର ସରକାରଙ୍କ ତତ୍ପରତା ପରେ ଚିକିତ୍ସକମାନେ ସେମାନଙ୍କ ପ୍ରସ୍ତାବିତ ଧର୍ମଘଟକୁ ପ୍ରତ୍ୟାହାର କରିଦେଇଛନ୍ତି । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ, ବରିଷ୍ଠ ଚିକିତ୍ସକ ଏବଂ ନୀତି ଆୟୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ