କୁନି ଶିଳ୍ପୀ କଲେ ପ୍ଲାଷ୍ଟିକ ମୁକ୍ତ ଗଣପତି ପୂଜା
ଭୁବନେଶ୍ୱର, : ସ୍ମାର୍ଟ ନଗରୀ ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀ, ଫେଜ୍-୨ ପରିସର ମଧ୍ୟରେ ଥିବା ଚିତ୍ର ଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ ପକ୍ଷରୁ କୁନିଶିଳ୍ପୀମାନେ ନିଆରା ଢଙ୍ଗରେ ବିଦ୍ୟାଦାତା, ବିଘ୍ନ ବିନାଶକ ଗଣପତିଙ୍କ ପୂଜା କରିଛନ୍ତି । ଏଠାରେ ଶିକ୍ଷାଲାଭ କରୁଥିବା ବିଦ୍ୟାର୍ଥୀମାନେ ନିଜ ତୂଳୀ ଓ ପ୍ରାକୃତିକ ରଙ୍ଗ ସାହାଯ୍ୟରେ ତିଆରି ଥିବା ଚିତ୍ରପଟ୍ଟକୁ ପୂଜା କରିଥିଲେ । ଠାକୁରଙ୍କ ମୂର୍ତ୍ତିରେ ମିଶୁଥିବା ରାସାୟନିକ ରଙ୍ଗ ନଦୀଜଳ ପ୍ରଦୂଷିତ ହେବା ସହ ବାୟୁ ପ୍ରଦୂଷଣ ହୋଇଥାଏ ଏବଂ ପ୍ରକୃତି ପରିପନ୍ଥୀ ହୋଇଥାଏ । ଜଳ ଉତ୍ସକୁ ସ୍ୱଚ୍ଛ ଓ ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ପାଇଁ ଚିତ୍ରଶାଳା ଆୟୋଜନ କରିଥିଲା ଇକୋ-ଫ୍ରେଣ୍ଡଲି ଗଣପତିଙ୍କ ପୂଜା । ବିଦ୍ୟାର୍ଥୀମାନେ ନିଜର ସୃଷ୍ଟିକୁ ନିଜେ ପୂଜା କରିଥିଲେ । ଆମ୍ବପତ୍ର, ଦେବଦାରୁ ପତ୍ରରେ ତୋରଣ କରି ମଣ୍ଡପକୁ ସଜାଇଥିଲେ । ଭୋଗରାଗ ପାଇଁ ପଲିଥିନ୍ର ବ୍ୟବହାର ଆଦୌ କରାଯାଇନଥିଲା । ଗଜାନନଙ୍କୁ ବିଭିନ୍ନ ଡାଳପତ୍ର, ଫୁଲକୁଣ୍ଡରେ ସୁସଜ୍ଜିତ କରି ପ୍ରାକୃତିକ ପରିବେଶ ଭିତରେ କୁନି ଶିଳ୍ପୀମାନେ ପୂଜାର୍ଚ୍ଚନା କରିଥିଲେ । ଏଥିସହିତ କୁନିଶିଳ୍ପୀମାନେ ଜଗତକଲ୍ୟାଣ ଉଦ୍ଦେଶ୍ୟରେ ଗଣପତିଙ୍କୁ ସିଡ୍ବଲ୍ ଅର୍ପଣ କରିଥିଲେ । ସମ୍ପ୍ରତି ପରିବେଶକୁ ଦୃଷ୍ଟିରେ ରଖି ଯେତେ ସରଳ ଏବଂ ନିରାଡାମ୍ବର ଭାବେ ଭକ୍ତିପୂତ ପରିବେଶ ମଧ୍ୟରେ ଏହି ପୂଜା ଉତ୍ସବ ପାଳନ କରାଯିବା ଦରକାର ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସାହୁ ସୂଚନା ଦେଇଥିଲେ । କାର୍ଯ୍ୟକ୍୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ପ୍ରିୟବ୍ରତ ପଣ୍ଡା, ବିକାଶ ବେହେରା ପ୍ରମୁଖ ଯୋଗ ଦେଇ କୁନିଶିଳ୍ପୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ଗୋଟିଏ ପୂଜା ମଣ୍ଡପରେ ଏକାଧିକ ଗଣେଶଙ୍କ ପୂଜା ଏକ ନିଆରା ଉଦ୍ୟମ ବୋଲି କୁହାଯାଇଛି ।


