ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କିତ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଜରୁରୀକାଳିନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତା କରିବା ସହ ବନ୍ୟା, ବାତ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲା ସ୍ତରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ଓ ସୋର ବିଧାୟକ ପ୍ରତିନିଧିଙ୍କ ସମେତ ଅତିରିକ୍ତ ଜିଲାପାଳ ସୁଚାରୁ ବଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଂଜନ ନାୟକ ପ୍ରମୁଖ ଏଥିରେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ବାଲେଶ୍ୱର ଜିଲାର ଜନଜୀବନ ସୁରକ୍ଷା, ଉଦ୍ଧାର କାର୍ଯ୍ୟ ଓ ପୁନର୍ବସତି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ନିକଟ ଭବିଷ୍ୟତରେ ସୃଷ୍ଟି ହେବାକୁ ଯାଉଥିବା ସାମୁଦ୍ରିକ ଝଡ଼ର ଶତପ୍ରତିଶତ ମୁକାବିଲା ଉପରେ ଉପସ୍ଥିତ ଜନ ପ୍ରତିନିଧିମାନେ ଗୁରୁତ୍ୱାରୋପ କରିଥିଲେ । ବିଶେଷ କରି ବିପର୍ଯ୍ୟୟ ସମୟରେ ରାସ୍ତା ଓ ଗୃହ ନିର୍ମାଣ, ପାଳନୀୟ ଜଳ ଓ ପରିମଳ, ଜଳସେଚନ, ବିଦ୍ୟୁତ ଯୋଗାଣ ବିଭାଗ ସଜାଗ ରହିବାକୁ ଲୋକ ପ୍ରତିନିଧିମାନେ ପରାମର୍ଶ ଦେଇଥିଲେ । ରାସ୍ତା ପାଶ୍ୱର୍ ନୟନଯୋରି ଅବରୋଧ ଉଚ୍ଛେଦ ଦିଗରେ ଯତ୍ନବାନ ହେବାକୁ ରେମୁଣା ବିଧାୟକ ଶ୍ରୀ ପରିଡ଼ା ପ୍ରସ୍ତାବ ଦେଇଥିଲେ । ଏହି ଅବରୋଧ ଯୋଗୁଁ ବନ୍ୟା ସମୟରେ ଜଳ ନିଷ୍କାସନ ହୋଇ ନପାରି ଅଧିକ କ୍ଷୟକ୍ଷତି ହେଉଥିବା ସେ କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସାଙ୍ଗକୁ ରିଲିଫ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନ ସମ୍ପର୍କରେ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏନେଇ ସମସ୍ତ ବହୁମୁଖୀ ବାତ୍ୟାଶ୍ରୟ ସ୍ଥଳ ସମେତ ଯଥେଷ୍ଟ ପରିମାଣର ପଲିଥିନ, ଚୁଡ଼ା ଓ ଗୁଡ଼, ଜେନେରେଟର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଜିଲାପାଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ତୁରନ୍ତ ବ୍ଲକ୍ ସ୍ତରରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଆୟୋଜନ, ତାଲିମପ୍ରାପ୍ତ ଆପଦା ମିତ୍ରଙ୍କୁ ସାମିଲ କରିବାକୁ ସେ କହିଥିଲେ । ସଦର ମହକୁମାରେ ବର୍ଷସାରା ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଚାଲୁ ରହିଛି । ବ୍ଲକ୍‌, ସ୍ୱାସ୍ଥ୍ୟ ବିଭାଗ, ଜଳସେଚନ ବିଭାଗ, ପାନୀୟ ଜଳ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ତୁରନ୍ତ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ ରଖିବାକୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି ନିର୍ମାଣାଧୀନ ବାତ୍ୟା ଆଶ୍ରୟସ୍ଥଳୀ ଯଦି ପାଖାପାଖି ସମ୍ପୂର୍ଣ୍ଣ ହୋଇଛି ଆବଶ୍ୟକ ସ୍ଥଳେ ତାହାକୁ ବ୍ୟବହାର ପାଇଁ କୁହାଯାଇଛି । ଏହି ବୈଠକରେ ଉପସ୍ଥିତ ରାସ୍ତା ଓ ଗୃହନିର୍ମାଣ, ପାନୀୟ ଜଳ ଯୋଗାଣ ଓ ପରିମଳ, ଜଳସେଚନ, ବିଦ୍ୟୁତ ଯୋଗାଣ ବିଭାଗ ଅଧିକାରୀଙ୍କ ସମେତ, ବିଡିଓ, ତହସିଲଦାରଙ୍କ ସମେତ ଓଡରାଫ, ଏନଡିଆରଏଫ ଏବଂ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀରମାନେ ବିଭାଗୀୟ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ଜରୁରୀକାଳିନ ଅଧିକାରୀ ସାଇକ୍ରୀଷ୍ଣ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ