ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପୂର୍ବାହ୍ନରେ ଘ. ୧୦.୩୦ ମି ସମୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିରଞ୍ଜନ ବେହେରା, ନୀଳଗିରି ଉପଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସୌରଭ ଚକ୍ରବର୍ତୀ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଶ୍ରୀ ଦୁଲାଲ ସେନ ଜଗଦ୍ଧେବ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭାମଞ୍ଜରୀ ଦାସ ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ I ଏଥି ସହିତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର, ଅଗ୍ନିଶମ, ଓଡ୍ରାଫ, ସରପଞ୍ଚ ଓ ବିଭିନ୍ନ ଏନଜିଓର ପ୍ରତିନିଧିଗଣ ଏହି ବୈଠକରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଶ୍ରେଷ୍ଠ ଥିବା ଜଣାଇଥିଲେ। ତେଣୁ ଏହା କିପରି ବଳବତ୍ତର ରହିବ ସେଥିପାଇଁ ସମସ୍ତ ବିଭାଗ ସମନ୍ବୟ ରକ୍ଷା କରି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବାକୁ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲ୍ଲାରେ ପ୍ରାକ ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବୈଠକରେ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ। ବୈଠକର ନିଷ୍ପତି ପ୍ରକାରେ ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳ ତଥା ତଳି ଅଞ୍ଚଳଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ମଞ୍ଚାସୀନ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ । ଜଳ ଯୋଗାଣକୁ ସୁବନ୍ଦୋବସ୍ତ କରିବା ସହ ନିୟମିତ ସମୟ ବ୍ୟବଧାନରେ ସମସ୍ତ ନଳକୂପ, ପାଇପ ଜଳ ଯୋଗାଣ, କୂପ ଇତ୍ୟାଦିକୁ ବିଶୁଦ୍ଧକରଣ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧ ଲୋକଙ୍କୁ ପ୍ରାଥମିକତା ଦିଆଯିବ I ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ପରିମାଣର ଔଷଧ, ବ୍ଲିଚିଂ ପାଉଡର ଇତ୍ୟାଦି ମହଜୁଦ ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଡିଏମଓ ଗୃହକୁ ଜଣେଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସାପ କାମୁଡା ଇଂଜେକସନ ଉପଲବ୍ଧ ଥିବା ସିଡିଏମଓ ସ୍ପଷ୍ଟ କରିଥିଲେ I
ସମ୍ଭାବ୍ୟ ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀ ସମ୍ପଦର ସୁରକ୍ଷା ନିମନ୍ତେ ଆଗୁଆ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ଔଷଧ ରଖିବା ଓ ଟୀକାକରଣ କରିବା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା I ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ଗୁଡିକର ବନ୍ୟା ପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ଗ୍ରହଣ କରିବା, ବନ୍ୟା ପ୍ରବଣ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରି ରଖିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ପୌର ପରିଷଦ ଏବଂ ଏନଏସି ଅନ୍ତର୍ଗତ ସମସ୍ତ ୱାର୍ଡ, ବସ୍ତିରେ ଥିବା ନାଳ ଗୁଡିକୁ ଯଥାଶୀଘ୍ର ସଫେଇ କରିବାକୁ ତ୍ଵରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ମଞ୍ଚାସୀନ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ।ଏଠାରେ ପ୍ରକାଶ ଥାଉ କି, ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜାରି କରାଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୧୮ ତାରିଖରେ ଜିଲ୍ଲା ଓ ବ୍ଲକସ୍ତରୀୟ ଟେବଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୯ ତାରିଖରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ