ପ୍ରାକୃତିକ ମାଟି କୁଦ ଲୋପ ପାଉଛି
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡା ତହସିଲ ଅଞ୍ଚଳରେ ମାଟି ମାଫିଆ ମାନେ ସକ୍ରିୟ ହୋଇ ପଡିଛନ୍ତି। ଦିନରାତି ସେମାନେ ଜେସିବି ଦ୍ବାରା ସରକାରୀ ଜମି ଗୋଚର, ଦଣ୍ଡା, ଶ୍ମଶାନ ପ୍ରଭୃତି ରୁ ମାଟ ତାଡି ଟ୍ରାକ୍ଟର ଦ୍ବାରା ଅନ୍ୟତ୍ର ଚୋରା ଚାଲାଣ କରୁଥିବା ବେଳେ ରାଜସ୍ବ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନ ରେ ପୋଖରୀ ଖୋଳିବା ଆଳରେ ପୋଖରୀରୁ ବାହାରୁଥିବା ମାଟି/ ବାଲି କୁ ଟ୍ରାକ୍ଟର ଯୋଗେ ବାହାରକୁ ଚାଲାଣ କରି ଟ୍ରିପ ପିଛା ୫ ଶହରୁ ୬ ଶହ ଟଙ୍କା ରେ ବିକ୍ରି କରି ମାଲେମାଲ ହେଉଛନ୍ତି । ଇଟା ପକାଉଥିବା ବ୍ୟବସାୟୀ ମାନେ ମୁଖ୍ୟତଃ ଏହି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ମାଫିଆ ମାନେ ଦିନରାତି ବେଧଡକ ଭାବେ ମାଟି ଲୁଟ କରି ଚାଲିଥିବାରୁ ନିମାପଡ଼ା, ଚାରିଛକ, ଭୋଦର, କଳାପାଞ୍ଚଣ, ତମ୍ପାଳ, ସାଇଲୋ, ଆମ୍ପୋର, ଛଣିଜଙ୍ଗ , ଅମରେଶ୍ୱର ପ୍ରଭୃତି ଅଞ୍ଚଳ ରେ ସରକାରୀ ଜମି ରେ ଥିବା ପ୍ରାକୃତିକ ମାଟି କୁଦ,ଗୋଚର ,ଦଣ୍ଡା ଧୀରେ ଧୀରେ ଲୋପ ହେବାକୁ ବସିଲାଣି । ଯଦି କାଁ ଭାଁ ଖବର ପାଇ ତହସିଲ ପକ୍ଷରୁ ଚଢାଉ କରାଯାଉଛି ତେବେ ଏହି ମାଟି ମାଫିଆ ମାନେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ସରକାରୀ ଛୁଟିଦିନ ଓ ରାତିରେ ଗୋଚର ଦଣ୍ଡା, ସ୍ତୁପକୁ ଜେସିବି ସାହାଯ୍ୟରେ ତାଡି ରାତାରାତି ଅନ୍ୟତ୍ର ଚାଲାଣ କରି ଦେଉଛନ୍ତି। ଖଣିଜବିଭାଗ,ତହସିଲ କାର୍ଯ୍ୟାଳୟ, ପୋଲିସ ପ୍ରଶାସନ ସବୁ ଜାଣି, ସବୁ ଦେଖି ନୀରବଦ୍ରଷ୍ଟା ପାଲଟିଛନ୍ତି । ଯାହା ଫଳରେ ସରକାର ଙ୍କ ବିପୁଳ ପରିମାଣ ର ରାଜସ୍ୱ ହାନୀ ହେଉଥିବା ବେଳେ କିଛି ଅସାଧୁ ସରକାରୀ କର୍ମଚାରୀ ଓ ମାଫିଆ ମାନେ ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରୁଛନ୍ତି। ପୁରୀ ଜିଲ୍ଲାପାଳ ଓ ଖଣିଜ ବିଭାଗ ଉଚ୍ଚଅଧିକାରୀ ଏହି ବେଆଇନ ମାଟି ଉଠାଣ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ମାଟି ମାଫିଆଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।