ପ୍ରାକ୍ତନ ନଗରପାଳ ତଥା ଓକିଲ ସଂଘର ପ୍ରାକ୍ତନ ସଭାପତିଙ୍କ ଦେହାନ୍ତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆର ପ୍ରାକ୍ତନ ନଗରପାଳ ତଥା ଓକିଲସଙ୍ଘର ପ୍ରାକ୍ତନ ସଭାପତି ପ୍ରଭୁଦୟାଲ ସାହୁ(୭୮)ଙ୍କ ସୋମବାର ରାତିରେ ଦେହାନ୍ତ ହୋଇଯାଇଛି। ୧୯୭୫ ମସିହାରେ ସେ ଓକିଲାତି ଆରମ୍ଭ କରିଥିଲେ । ୨୦୨୫ ପର୍ଯ୍ୟନ୍ତ ଓକିଲାତି କରିବା ସମୟରେ ଓକିଲ ସଂଘର ସଭାପତି ହୋଇ ସମସ୍ତ ସଦସ୍ୟମାନଙ୍କ ପ୍ରିୟପାତ୍ର ହୋଇଥିଲେ । ଏହାପୂର୍ବରୁ ସେ ୧୯୮୦ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଏନଏସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ କରଞ୍ଜିଆର ସମସ୍ତ ୱାର୍ଡଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ କରିବା ସହ କରଞ୍ଜିଆରେ ପ୍ରଥମ ଅକଟ୍ରାଇ ଫାଟକ ସ୍ଥାପିତ ହେବାପରେ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ସେ ଉତ୍ତମ ଅଧ୍ୟକ୍ଷ ଭାବେ ପ୍ରଶଂସିତ ହୋଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ସେ ଜଣେ ଦକ୍ଷ ନେତା ଭାବେ ପାରଦର୍ଶିତା ଅର୍ଜନ କରିଥିବା ହେତୁ ତାଙ୍କର ମୃତ୍ୟୁ ପରେ ଆଜି ଉଠା ଜଳସେଚନ ନିଗମର ପ୍ରାକ୍ତନ ଅଧ୍ୟକ୍ଷ ରାଜନ ବିହାରୀ ସାହୁ ପାର୍ଥିବ ଶରୀର ଉପରେ କଂଗ୍ରେସ ପତାକାକୁ ଆବୃତ କରିଥିଲେ । ସହରର ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶାବାଧାରରେ ପୁଷ୍ପ ଅର୍ଘ୍ୟ ଦେଇ ଶେଷ ସମ୍ମାନ ଜଣାଇଥିଲେ । ତାଙ୍କ ମରଶରୀରକୁ ଏନଏସି କାର୍ଯ୍ୟାଳୟ ଏବଂ କୋର୍ଟ ପରିସରକୁ ଅଣାଯାଇ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା ।ସେହିପରି ଯଶିପୁର କୋର୍ଟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ଓ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ଯଶିପୁର ଜେଏମଏଫସି ମାଜିଷ୍ଟ୍ରେଟଦୀପଙ୍କର ବଳ,ଆଇନଜୀବୀ ମଦନମୋହନ ମହାନ୍ତ, ଏସପିଏଚ ବେହେରା, ଲକ୍ଷ୍ମୀକାନ୍ତ ମହାନ୍ତ, ଅମିରୁଲ ହୁସେନ, ବିଜୟ ବେହେରା, ଅସିତ ବେହେରା, ରୁକ୍ମଣୀ ମହାନ୍ତଙ୍କ ସହିତଅନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ ଶୋକ ସଭା ପରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଦେଓ ନଦୀ କୂଳରେ ସ୍ବର୍ଗତ ପ୍ରଭୁଦୟାଲ ସାହୁ ଅନ୍ତ୍ୟେଷ୍ଟିକ୍ରିୟାରେ ବଡ଼ପୁଅ ମୁଖାଗ୍ନି ଦେଇଥିଲେ ।