ପ୍ରାଚୀନ କନ୍ତିଆ ମଠ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): ଏକଶହ ବର୍ଷରୁ ଉର୍ଦ୍ଧ୍ୱ ପ୍ରାଚୀନ କନ୍ତିଆ ମଠ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ରାସ୍ତାଦେଇ ଦୈନିକ ଶହ ଶହ ସଂଖ୍ୟାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି । ଏହାସହ ଆଖପାଖ ଗ୍ରାମ ସମେତ ଜିଲାର ବିଭିନ୍ନ ସ୍ଥାନରୁ ଏହି ପ୍ରାଚୀନ କନ୍ତିଆ ମଠକୁ ଯାଇଥାନ୍ତି । ଶହେବର୍ଷ ପୂର୍ବରୁ ଓଳାଶୁଣୀମଠର ଅରକ୍ଷିତ ବାବାଙ୍କ ଅନୁଗାମୀ ମଧୁସୁଦନ ଦାସ ତଥା ମଧୁବାବା ଏହି ମଠକୁ ପ୍ରତିଷ୍ଠା କରିଥିଲେ । ସେଥିପାଇଁ ଏହି ମଠକୁ କେନ୍ଦ୍ରାପଡା ଜିଲା ସମେତ ପଡୋଶୀ ଯାଜପୁର ଏବଂ ଜଗତସିଂହପୁର ଜିଲାର ବିଭିନ୍ନ ସ୍ଥାନରୁ ଏହି ମଠକୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଶ୍ରଦ୍ଧାଳୁମାନେ ବିଭିନ୍ନ ମାନସିକ ନେଇ ଏହି ମଠକୁ ଆସିଥାନ୍ତି । ମଠର ବାବାଙ୍କ ଆଶୀର୍ବାଦରେ ଭକ୍ତଙ୍କ ମାନସିକ ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଏହି ମଠକୁ ପ୍ରତିଦିନ ଶହ ଶହ ଭକ୍ତଙ୍କ ଭିଡ ଲାଗି ରହିଥାଏ । ହେଲେ ଏହି ସଂଯୋଗ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡିଛି । ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାଟି ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡିଛି । ଫଳରେ ସେହି ରାସ୍ତା ଦେଇ ଜରୁରୀ କାଳୀନ ଗାଡି ଆମ୍ବୁଲାନ୍ସ ଓ ଅଗ୍ନିଶମ ପ୍ରଭୃତି ଗାଡି ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହୋଇଛି । ବହୁ ଦୂର ଦୂରାନ୍ତରୁ ଏହି ପ୍ରସିଦ୍ଧ ମଠକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ରାସ୍ତାରେ ଗମନାଗମନ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ଭକ୍ତ ମହେନ୍ଦ୍ର କୁମାର ମିଶ୍ର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଚକ୍ରୋଡା ପଞ୍ଚାୟତରେ ଯାଉଥିବା ଏହି ରାସ୍ତାଟି ତୁରନ୍ତ ମରାମତି କରାଯିବାର ଆବଶ୍ୟକତା ରହିଛି । କାରଣ ରାସ୍ତା ମରାମତି ହେଉନଥିବାରୁ ଦୁର୍ଘଟଣା ଘଟି ଭକ୍ତମାନେ ଆହତ ହେଉଛନ୍ତି । ଏହି ରାସ୍ତା ସମ୍ପର୍କରେ କନ୍ତିଆ ଓ ଦିଆନପାଟଣା ଗ୍ରାମର ଗ୍ରାମବାସୀମାନେ ଚକ୍ରୋଡା ଗ୍ରାମପଞ୍ଚାୟତର ସରପଞ୍ଚ, କେନ୍ଦ୍ରାପଡା ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଏସଂକ୍ରାନ୍ତରେ କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି ରାସ୍ତା ମରାମତି ପାଇଁ ସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ।