ପ୍ରାଚୀ ଉପତ୍ୟକାରେ ଶାକ୍ତ ଉପାସନା
ସନ୍ତୋଷ କୁମାର ଦାଶ
ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ଶାକ୍ତ
ଉପାସନା ବହୁ ପ୍ରାଚୀନ। ଦିନେ ପ୍ରାଚୀ ଉପତ୍ୟକା ଥିଲା ତନ୍ତ୍ର ସାଧନା ର ମୁଖ୍ୟ ସ୍ଥଳୀ। ଯାହା ପ୍ରଭାବ ରେ ପ୍ରାଚୀ ଉପତ୍ୟକା ର ଗାଁ ଗାଁ ରେ ଦେଖିବାକୁ ମିଳେ ଦୁର୍ଗା, ଚାମୁଣ୍ଡା, ଚଣ୍ଡୀ ମନ୍ଦିର। ୬ଷ୍ଠ ଶତାବ୍ଦୀ ଠାରୁ ୧୬ଶ ଶତାବ୍ଦୀ ପର୍ଯ୍ୟନ୍ତ ଦୀର୍ଘ ୧ ହଜାର ବର୍ଷ ଧରି ପ୍ରାଚୀ ଉପତ୍ୟକା ରେ ତନ୍ତ୍ରପୂଜା ଓ ଶକ୍ତି ପୂଜା ପ୍ରସାର ଲାଭ କରିଥିଲା।
ପରବର୍ତ୍ତୀ ସମୟରେ ବୈଷ୍ଣବ ଧର୍ମ, କୃଷ୍ଣ ଉପାସନା ଓ ମାଧବ ଉପାସନାର ବହୁଳ ଭାବେ ପ୍ରଚାର ପ୍ରସାର ଘଟିବାରୁ ଓ ତନ୍ତ୍ରମନ୍ତ୍ର ପ୍ରତି ଲୋକ ମାନଙ୍କର ବିତୃଷ୍ଣା ଭାବ କାରଣରୁ ତନ୍ତ୍ର ପୂଜା, ଶକ୍ତି ପୂଜା ଓ ଚାମୁଣ୍ଡା ଉପାସନା ପ୍ରାୟତଃ ଲୋପ ପାଇ ଥିଲା। ମାତ୍ର ଦୁର୍ଗାପୂଜା କୁ ସାଧାରଣ ଲୋକ ଆପଣାଇ ନେବା ସହିତ ଚାମୁଣ୍ଡା ଓ ଚଣ୍ଡୀ ମୂର୍ତ୍ତୀ ଗୁଡ଼ିକୁ ଲୋକମାନେ ଗ୍ରାମେ ଗ୍ରାମେ ଗ୍ରାମଦେବତୀ ଭାବେ ପୁଜା କରି ବସିଲେ।
ପ୍ରାଚୀ ଉପତ୍ୟକା ରେ ଦ୍ୱିଭୁଜା ଠାରୁ ଦ୍ଵାଦଶ ଭୁଜା ପର୍ଯ୍ୟନ୍ତ ଦୁର୍ଗା ଓ ଚାମୁଣ୍ଡା ମୂର୍ତ୍ତୀ ପୂଜା ପାଉଥିବା ଦେଖିବାକୁ ମିଳିଥାଏ।ଐତିହାସିକ ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କ ଗବେଷଣାତ୍ମକ ଗ୍ରନ୍ଥରୁ ଜଣାଯାଏ ଯେ, କାକଟପୁର ର ସମେଶ୍ୱର, ବାଲିପାଟଣା ର ଗାରେଡ଼ି ପାଞ୍ଚଣ, ଅସ୍ତରଙ୍ଗ ର ଜିଓଳ, ଗୋପ ର ଖଡିଶ ପ୍ରଭୃତି ସ୍ଥାନ ରେ ବିରଳ ଦ୍ୱିଭୁଜା ଦୁର୍ଗା ମୂର୍ତ୍ତି ପୁଜା ପାଉଥିବା ବେଳେ ନିଜାଗଡ,ଭଇରିପୁର,ତିରୁଣା, ମାଧବ,
ଭାରଡ଼ାପାଟଣା,ଭିଲିଗ୍ରାମ,ନୂଆ ସାତଙ୍କ ( ମୋଟିଆଁ),ତୁଳସୀପୁର ପ୍ରଭୃତି ସ୍ଥାନ ରେ ଚତୁଃର୍ଭୁଜା ଦୁର୍ଗା ମୂର୍ତ୍ତି ପୂଜା ପାଉଛନ୍ତି। ଅସ୍ତରଙ୍ଗ ଠାରେ ଗୋଟିଏ ଷଡଭୁଜା ଦୁର୍ଗା ମୂର୍ତ୍ତି ପୂଜା ପାଉଥିବାବେଳେ ମଙ୍ଗଳପୁର,
ତେନ୍ତୁଳିଗୁଆଁ,ଆମଣାକୁଦ,ପାଣିଛତ୍ର,
ଦାରୁଠେଙ୍ଗ, ବଳଭଦ୍ରପୁର ପ୍ରଭୃତି ସ୍ଥାନ ରେ ଅଷ୍ଟଭୁଜା ଦୁର୍ଗା ମୂର୍ତ୍ତି ପୂଜା ପାଉଛନ୍ତି। ଆମ୍ବାପଡ଼ା, ପିତାପଡ଼ା, ନିଭରଣ, ଲତାହରଣ, ଅଡ଼ଶପୁର,ନିଆଳି ଠାରେ ଦଶଭୁଜା ଦୁର୍ଗା ମୂର୍ତ୍ତି ପୂଜା ପାଉଥିବାବେଳେ ଏକମାତ୍ର ଆମଣାକୁଦ ଠାରେ ଦ୍ଵାଦଶ ଭୁଜା ଦୁର୍ଗା ମୂର୍ତ୍ତି ପୁଜା ପାଉଛନ୍ତି। ସେହିପରି ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଚତୁଃର୍ଭୁଜା ଠାରୁ ଦଶଭୁଜା ପର୍ଯ୍ୟନ୍ତ ଚଣ୍ଡୀ ଓ ଚାମୁଣ୍ଡା ମୂର୍ତ୍ତୀ ପୁଜା ପାଉଥିବା ଦେଖିବାକୁ ମିଳେ। ମୋଟିଆଁ,ପିତାପଡ଼ା,ଲତାହରଣ ଗ୍ରାମ ରେ ଚତୁଃର୍ଭୁଜା ଚାମୁଣ୍ଡା ମୂର୍ତ୍ତୀ ପୁଜା ପାଉଥିବା ବେଳେ କପିଳେଶ୍ଵରପୁର,ସାନହୁଲି ଠାରେ ଷଡଭୁଜା ଚାମୁଣ୍ଡା ମୂର୍ତ୍ତୀ ପୂଜା ପାଉଛନ୍ତି। କାକଟପୁର ର ମଙ୍ଗଳା ମନ୍ଦିର ରେ ଓ ନିଆଳି ର ଶୋଭନେଶ୍ୱର ମନ୍ଦିରରେ ଦଶଭୁଜା ଚାମୁଣ୍ଡା ମୂର୍ତ୍ତୀ ପୂଜା ପାଉଛନ୍ତି। ତନ୍ତ୍ର ଶାସ୍ତ୍ରାନୁସାରେ ଦ୍ୱିଭୁଜା ଚାମୁଣ୍ଡା ଙ୍କୁ
କାଶ୍ୟମ, ଚତୁଃର୍ଭୁଜା ଚାମୁଣ୍ଡା ଙ୍କୁ
ରୁଦ୍ର ଭୈରବ, ଷଡ଼ଭୁଜା ଚାମୁଣ୍ଡା ଙ୍କୁ
ରୁଦ୍ର ଚର୍ଚ୍ଚିକା, ଅଷ୍ଟଭୁଜା ଚାମୁଣ୍ଡା ଙ୍କୁ
ରୁଦ୍ର ଚାମୁଣ୍ଡା ଓ ଦଶଭୁଜା ଚାମୁଣ୍ଡା ଙ୍କୁ ସିଦ୍ଧ ଚାମୁଣ୍ଡା ଭାବେ ପୁଜା କରା ଯାଇଥାଏ।ଅନେକ ସ୍ଥାନରେ ଚାମୁଣ୍ଡା ମୂର୍ତ୍ତୀ ଗୁଡ଼ିକ ଗ୍ରାମ ଦେବତୀ ଭାବେ ପୁଜା ପାଉଥିବା ଦେଖିବାକୁ ମିଳେ।ଭ୍ୟୌମ ଶାସନ ସମୟରେ ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଶକ୍ତିପୂଜା ର ବହୁଳ ପ୍ରସାର ଘଟିଥିବାରୁ ସେହି ସମୟ ରେ ଏହି ଅଞ୍ଚଳ ରେ ଶହ ଶହ ଶକ୍ତିପୀଠ ନିର୍ମାଣ ହୋଇଥିଲା
ବୋଲି ଗବେଷକ ମାନେ ମତ ପ୍ରକାଶ କରିଛନ୍ତି। ପ୍ରାୟ ୧୫୨୦ ରୁ ୧୫୬୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ କ୍ଷତ୍ରିୟ ଙ୍କ ର ୩୮ ଟି ଗଡ଼ ପ୍ରତିଷ୍ଠା ହୋଇଥିଲା। ଗଡ଼ ଗୁଡ଼ିକ ଦାୟୀତ୍ବ ରେ କ୍ଷତ୍ରିୟ ( ଗଡୁଆ )ମାନେ ରହି ଯୁଦ୍ଧକୌଶଳ ଶିକ୍ଷା କରୁଥିଲେ। ବାହ୍ୟ ଶତ୍ରୁ, ଜଳ ଦସ୍ୟୁ ମାନଙ୍କୁ ପ୍ରତିରୋଧ କରି ରାଜ୍ୟ ଭିତରକୁ ପ୍ରବେଶ କରାଇ ନ ଦେବା ଓ ଯୁଦ୍ଧ ସମୟରେ ରାଜା ଙ୍କ ପାଇକ ସୈନିକ ମାନଙ୍କ ସହିତ ରହି ଯୁଦ୍ଧ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ କରିବା ଏମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା। ସେଥିପାଇଁ କ୍ଷତ୍ରିୟ ମାନେ ରାଜା ଙ୍କ ଠାରୁ ନିଷ୍କରଜମି ଭୋଗ କରୁଥିଲେ।
ଏଣୁ ଗଡ଼ ମାନଙ୍କରେ ଗଡୁଆ ଯୁବକ ମାନେ ବର୍ଷ ସାରା ଅସ୍ତ୍ରଚାଳନା, ଯୁଦ୍ଧ କୌଶଳ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ, ମରାମତି ପ୍ରଭୃତି ଶିକ୍ଷା କରୁଥିଲେ। ସେମାନଙ୍କର ଇଷ୍ଟଦେବୀ ଥିଲେ ମା ‘ କନକ ଦୂର୍ଗା। ଆମଣାକୁଦ ର ବାର ଭୁଜା ଠାକୁରାଣୀ, ତୁଳସୀପୁର ର କନକ ଦୁର୍ଗା( ଅମର ପ୍ରସାଦ ଗଡ଼ ର ଇଷ୍ଟ ଦେବୀ), କୃଷ୍ଣପ୍ରସାଦ ଗଡ଼ ର ଚତୁଃର୍ଭୁଜା ନାରାୟଣୀ ଦୁର୍ଗା ମନ୍ଦିର ଏବେ ବି ଶକ୍ତି ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି।କାକଟପୁର ର ମା ମଙ୍ଗଳା ଙ୍କ ମନ୍ଦିର ଏକ ବୈଷ୍ଣବୀ ପୀଠ ହୋଇଥିଲେ ମଧ୍ୟ ସେଠାରେ ଶାରଦୀୟ ପାର୍ବଣ ପୂଜା ଆଶ୍ଵିନ ମାସର ମୂଳାଷ୍ଟମୀ ତିଥି ଠାରୁ ଦଶହରା ପର୍ଯ୍ୟନ୍ତ ରୀତି ନୀତି ଅନୁସାରେ ପାଳିତ ହୋଇଆସୁଛି। ବିଭିନ୍ନ ରାଜବଂଶ ଙ୍କ ପୃଷ୍ଠପୋଷକତା ରେ ତନ୍ତ୍ର ଓ ଶକ୍ତି ପୂଜା ର ପ୍ରସାର ଘଟିଥିଲା। ପ୍ରାଚୀ ଉପତ୍ୟକା ର ଦୁର୍ଗା ମୂର୍ତ୍ତି ଓ ମନ୍ଦିର,
ଚାମୁଣ୍ଡା ମୂର୍ତ୍ତୀ ଓ ମନ୍ଦିର ସବୁ କୁ ଅନୁଧ୍ୟାନ କଲେ ଏହି ଅଞ୍ଚଳ ଅତୀତ ଓଡ଼ିଶା ଇତିହାସ ର ଜୀବନ୍ତ ଇତିହାସ କୁ ବର୍ଣ୍ଣନା କରିଥାଏ ବୋଲି ସ୍ପଷ୍ଟ ପରିଲକ୍ଷିତ ହୁଏ। ଜୟ ମା ଦୁର୍ଗା, ଦୁର୍ଗତିନାସିନି।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮