ପ୍ରାଚୀ ଉପତ୍ୟକାରେ ଶ୍ରୀ ଗଣେଶ ପୂଜା
ନିମାପଡ଼ା, (ସନ୍ତୋଷ ଦାଶ):ପୂଣ୍ୟତୋୟା ପ୍ରାଚୀ ନଦୀ କୂଳରେ ରହିଛି ଶତାଧିକ ପ୍ରାଚୀନ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର। ଏକ ମାତ୍ର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଇଗୁଆଁ ଗ୍ରାମ ରେ ରହିଛି ଶ୍ରୀଗଣେଶ ଙ୍କ ସ୍ବତନ୍ତ୍ର ମନ୍ଦିର। ଏଠାରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ହାତୀ ଶୁଣ୍ଢ ରୂପରେ ପୂଜା ପାଇ ଆସୁଛନ୍ତି। ଏତତବ୍ୟତୀତ କଟକ ଜିଲ୍ଲା ର କପିଳେଶ୍ୱରପୁର, ନିଆଳି, କୁଦପାଟଣା, ଟୋଲା, ପିତାପଡା, ମାଧବ, ସଡାଂଶ, ପୁରୀ ଜିଲ୍ଲାର ବିଷ୍ଣୁପୁର, ଅମରେଶ୍ଵର, ବନ୍ଦେଶ୍ୱର, ନିଭରଣ,ପାଣିଛତ୍ର , ସମେଶ୍ୱର, ନାଟେଶ୍ୱର, ମୁଦୁଗଲ, ଅସ୍ତରଙ୍ଗ, ପାଟପୁର, ଓଟର, ଯୋଗେଶ୍ୱରପୁର, ଉପୁଳା, ଡାଳୁଅକଣି , ଲତାହରଣ, ପ୍ରଭୁତି ସ୍ଥାନ ରେ ଶ୍ରୀ ଗଣେଶ ବିଭିନ୍ନ ମନ୍ଦିର ରେ ପାଶ୍ଵ ଦେବତା ଭାବେ ପୂଜା ପାଇ ଆସୁଛନ୍ତି। ଏହି ସବୁ ମନ୍ଦିର ଗୁଡ଼ିକ ୬ଷ୍ଠ ଶତାବ୍ଦୀ ରୁ ୯ମ ଶତାବ୍ଦୀ ମଧ୍ୟରେ ନିର୍ମାଣ ହୋଇ ଥିବାର ଗବେଷକ ମାନେ ମତ ପ୍ରକାଶ କରିଛନ୍ତି। ତେଣୁ ହଜାର ହଜାର ବର୍ଷ ହେବ ପ୍ରାଚୀ ଉପତ୍ୟକା ରେ ଶ୍ରୀ ଗଣେଶ ଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି। ବିଭିନ୍ନ ମନ୍ଦିର ରେ ପୂଜା ପାଉଥିବା ଶ୍ରୀ ଗଣେଶ ଙ୍କ ମୂର୍ତ୍ତି ବି ଭିନ୍ନ ଭିନ୍ନ ଶୈଳୀ ରେ ନିର୍ମିତ ହୋଇଥିବାର ଦେଖିବାକୁ ମିଳେ। କେଉଁଠି ଶ୍ରୀ ଗଣେଶ ଙ୍କ ଶୁଣ୍ଢ ଡାହାଣ କୁ ତ ଆଉ କେଉଁଠି ବାମ ଦିଗକୁ ରହିଛି। କେଉଁଠି ନୃତ୍ୟ ଶୈଳୀ ରେ ଠିଆ ହୋଇଛନ୍ତି ତ ଆଉ କେଉଁଠି ଅପସରା ମାନଙ୍କ ଗହଣ ରେ ଉପବେସନ ହୋଇଛନ୍ତି।କେଉଁଠି ତାଙ୍କର ଥନ୍ତଲ ପେଟ ତ ଆଉ କେଉଁଠି ତାଙ୍କ ହାତରେ ଲଡୁ, ସର୍ପ, ଅଙ୍କୁଶ ପ୍ରଭୂତି ଆୟୁଧ ରହିଛି। ଶୈବ ଉପାସନା ପ୍ରସାର କରିବା ସମୟରୁ ପ୍ରାଚୀ ଉପତ୍ୟକା ଅଞ୍ଚଳ ରେ ଶ୍ରୀ ଗଣେଶ ଙ୍କ ପୂଜାର୍ଚ୍ଚନା କରାଯାଇ ଆସୁଥିବା ବେଳେ ପଞ୍ଚ ଦେବତା ଉପାସନା ପ୍ରସାର ବେଳେ ଏହା ଅଧିକ ଗ୍ରହଣୀୟ ହୋଇଥିଲା। ଶ୍ରୀ ଗଣେଶ ଚତୁର୍ଥୀ ତିଥି ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି।