ପ୍ରାଣନାଥ ପଟ୍ଟନାୟକ ଥିଲେ ମହାନ ଶିକ୍ଷାବିତ୍ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) :ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ସରକାରଙ୍କ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ମହାନ ଶିକ୍ଷାବିତ୍, ସ୍ୱାଧିନତା ସଂଗ୍ରାମୀ, ବିଧାୟକ, ସାମ୍ୟବାଦୀ ନେତା, ସଂଗଠକ, ସାମ୍ବାଦିକ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ପ୍ରାଣନାଥ ପଟ୍ଟନାୟକଙ୍କ ୟୁନିଟ-୩, ଖାରବେଳନଗରସ୍ଥିତ ପ୍ରତିମୂତିସ୍ଥଳରେ ମାଲ୍ୟାର୍ପଣ ସହ ତାଙ୍କ ୫୩ତମ ଶ୍ରଦ୍ଧାଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ବାଗ୍ନୀ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ପୂଜ୍ୟପୂଜା ପ୍ରାଣ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ପଟ୍ଟନାୟକ କୃଷି, କୃଷକ, ସାଧାରଣ ଜନତା ତଥା ଜଣେ ବିଧାୟକ ଭାବେ ତାଙ୍କ ଅମାୟିକ ବ୍ୟକ୍ତିତ୍ୱର ପରିଚୟ ଦେବା ସହିତ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଣୀ ସାରଥୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଇଂରେଜ ଶାସନ କାଳରେ ୪୫ ଦିନ ଧରି ସେ ଅନଶନ କରିବା ସହିତ ପ୍ରଥମ କଂଗ୍ରେସ ସମାଜବାଦୀ ପାର୍ଟିର ସଭାପତି ହୋଇଥିଲେ । ଏହାସହିତ ବହୁମହାବିଦ୍ୟାଳୟ ପ୍ରତିଷ୍ଠା, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ସାହିତ୍ୟରେ ରୁଚି ତାଙ୍କ ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରିଥିଲା । ନୂଆ ଦୁନିଆ ପତ୍ରିକାର ସଂପାଦକ ହେବା ସହିତ ବହୁ ଜନକଲ୍ୟାଣ କାର୍ଯ୍ୟମାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଜ୍ୟୋସ୍ନା ଦାସ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ , ସଂଯୋଜକ ନାରାୟଣ ଓଝା, ଦିଲ୍ଲୀପ ଦାସଶର୍ମା, ଦୁର୍ଗା ସାମନ୍ତରାୟ, ବିଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


