ପ୍ରାଣନାଥ ପଟ୍ଟନାୟକ ଥିଲେ ସମାଜସେବା ଓ ସାମ୍ୟବାଦର ମୂର୍ତ୍ତିମନ୍ତ ପ୍ରତୀକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍‌, ବିପ୍ଲବୀ, ବିଧାୟକ, ସାମ୍ୟବାଦୀ ଆନ୍ଦୋଳନର ପୁରୋଧା, ସଂଗଠକ ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୪ତମ ଶ୍ରଦ୍ଦାଞ୍ଜଳି ସଭା ଓ ସ୍ମୃତିଚାରଣ ଉତ୍ସବ ଖାରବେଳନଗରସ୍ଥିତ ପ୍ରତିମୂର୍ତ୍ତିସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ସଂସ୍କୃତି ବିଭାଗ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂଜ୍ୟପ୍ରାଣ ଲକ୍ଷ୍ମୀଧର ବେହେରା, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ସାମାଜିକ କାର୍ଯ୍ୟଧାରା, ସାମ୍ବାଦିକତା, କୃଷକ, ଗରିବମାନଙ୍କ ପାଇଁ ତାଙ୍କ ଚିନ୍ତାଧାରା ଓ ଓଡ଼ିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଅହରହ ଉଦ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ଭାବେ ଦଶଥର ଜେଲ ଯିବା ସହ ୪୫ ଦିନ ଅନଶନରେ ରହି ବହୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା, ଅର୍ଥନୀତିଜ୍ଞ ଶ୍ରମିକଙ୍କୁ ଉଚିତ୍ ମୂଲ୍ୟ ଦେବା, ସାଧାରଣ ବ୍ୟକ୍ତିଙ୍କ ପାଇଁ ବହୁ ଲୋକହିତକର କାର୍ଯ୍ୟକ୍ରମ କରିବା ତାଙ୍କ ବହୁମୁଖୀ ପ୍ରତିଭାର ପରିଚୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ବିଶିଷ୍ଟ ସାମ୍ୟବାଦୀ ବ୍ୟକ୍ତିତ୍ୱ ବସନ୍ତ କୁମାର ପାଇକରାୟଙ୍କୁ ପ୍ରାଣନାଥ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଦିଲୀପ ଦାସଶର୍ମା, ପ୍ରବୀର ମହାନ୍ତି, ସଂଯୋଜକ ବାପୁ ଓଝା, ରମେଶ ପାତାଳସିଂ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଶେଷରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ରୋହିତ କୁମାର, ଗିରିଜା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ